ଜୟପୁର: ଚାଇନାର ଚିଙ୍ଗୁଡୁରେ ଫିସୁ ୱାଲର୍ଡ ୟୁନିଭର୍ସିଟି ଗେମ୍ସ୍ ସମର ଓ ଜର୍ମାନୀର ବର୍ଲ୍ଲିନରେ ସ୍ପେଶିଆଲ୍ ଓଲମ୍ପିକ୍ ୱାଲର୍ଡ ଗେମ , ବର୍ଲିନ-୨୦୨୩ କପରେ ଭାରତଦଳରେ ସ୍ଥାନ ପାଇ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରିଥିଲେ କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକର ଦୁର୍ଗମ ଗିର୍ଲ୍ଲୀଗୁମ୍ମା ଗାଁର ଝିଅ ମାମାଲି ନାଗ। ପୂର୍ବରୁ ଭାରତ ଦଳରେ ଖେଳି ଆସିଥିବା ମାମାଲି ପୁଣି ଏହି ଦୁଇ ପ୍ରତିଯୋଗିତାରେ ଭାରତ ଦଳରେ ସ୍ଥାନ ପାଇବା ସହ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସଂପ୍ରତି ସେ ଅର୍ନ୍ତଜାତୀୟ ପ୍ରତିଯୋଗିତା ଖେଳି ଆସିବା ପରେ କ୍ରୀଡା ଛାତ୍ରାବାସକୁ ଆସିଥିବା ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଚାଇନାର ଚିଙ୍ଗୁଡୁରେ ଫିସୁ ୱାଲର୍ଡ ୟୁନଭର୍ସିଟି ଗେମ୍ସ୍ ସମରରେ ହଙ୍ଗକଙ୍ଗ,ଇଟାଲି, ତାଇଫାଇ, କଲମ୍ବିଆ ସହ ଚାରୋଟି ମ୍ୟାଚ ଖେଳିଥିବା ବେଳେ କମ୍ ବ୍ୟବଧାନରେ ଭାରତ ଏହି ମ୍ୟାଚ ଗୁଡିକରେ ହାରିଯାଇଥିଲା। ସେଭଳି ଜର୍ମାନୀର ବର୍ଲ୍ଲିନରେ ସ୍ପେଶିଆଲ୍ ଅଲମ୍ପିକ୍ ୱାଲର୍ଡ ଗେମ , ବର୍ଲିନ-୨୦୨୩ କପର ୫ଟି ଲିଗ୍ ମ୍ୟାଚରୁ ୨ଟିରେ ଜିତିଥିବା ବେଳେ ୨ଟିରେ ହାରିଯାଇଥିଲେ। ଇଟାଲି ଓ କେନିୟାଠାରୁ ହାରି ଯାଇଥିଲେ।
ତେବେ କୋଷ୍ଟାରିକା, ସାଉଦି ଆରବିଆ ଦଳକୁ ହରାଇ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ। କେନିୟା ସହ ସେମିଫାଇନାଲରେ ହାରିଯାଇଥିଲେ। ତୃତୀୟ ବିଜେତା ଦଳ ପାଇଁ କୋଷ୍ଟାରିକାକୁ ହରାଇ ବ୍ରୋଂଜ ପଦକ ପାଇଥିଲେ। ପ୍ରକାଶଯୋଗ୍ୟ, ମାମାଲି ୨୦୧୬ ମସିହାରେ ସ୍କୁଲରେ ୮ମ ଶ୍ରେଣୀରେ ପଢ଼ୁଥିବା ବେଳେ ଉଚ୍ଚ ଡିଆଁ(ଲଙ୍ଗ ଜମ୍ପ)ରେ ବିଦ୍ୟାଳୟର ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିଲେ। ସେ ସମୟରେ କୋରାପୁଟରୁ ଆସିଥିବା ଜଣେ କ୍ରୀଡା ପ୍ରଶିକ୍ଷକ ଗୁପ୍ତ ସାହୁ ତାଙ୍କୁ ଭଲିବଲ ଖେଳିବା ପାଇଁ ପ୍ରୋତ୍ସାହିତ କରିଥିଲେ। କୋରାପୁଟରେ ସ୍ପୋର୍ଟସ୍ ହଷ୍ଟେଲ ଚୟନରେ ସେ ଭାଗ ନେବାକୁ କହିଥିଲେ। ମାମାଲି ଏଠାକୁ ଆସିବା ପରେ ଭଲିବଲ ଖେଳିବା ପାଇଁ ଚୟନ କରାଯାଇଥିଲା। ଭୁବନେଶ୍ବର କଳିଙ୍ଗ କ୍ରୀଡା ଛାତ୍ରାବାସରେ ଅନ୍ତେବାସୀ ଭାବେ ରହିବା ସମୟରେ ଭଲିବଲ କୋଚ ସୁଷମା ନନ୍ଦ ଓ ସତ୍ୟନାରାୟଣ ସେନାପତି ୪ବର୍ଷ କାଳ ମାମାଲିଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଓଡିଶା ଦଳରେ ମାମାଲି ସ୍ଥାନ ପାଇ ୨୦୧୯,୨୦୨୦ ଓ ୨୦୨୨ମସିହାରେ ଅନୁଷ୍ଠିତ ଜୁନିୟର ନ୍ୟାସନାଲ, ୟୁଥ , ସିନିୟର ନ୍ୟାସନାଲ୍ , ଫେଡରେସନ୍ କଫ, ମିନି ନ୍ୟାସନାଲ ଆଦି ଭଲିବଲ ପ୍ରତିଯୋଗିତାରେ ନିଜର ଶ୍ରେଷ୍ଠତା ପ୍ରତିପାଦିତ କରିଥିଲେ। ଫେଡରେସନ୍ କପରେ ଶ୍ରେଷ୍ଠ କ୍ରୀଡାବିତ୍ ଭାବେ ତାଙ୍କୁ ପୁରସ୍କୃତ ବି କରାଯାଇଥିଲା।
କାଜିଖସ୍ଥାନରେ ଅନୁଷ୍ଠିତ ହୋଇଥିବା ଏସିଆନ୍ ନ୍ୟାସନାଲ୍ କପ ପାଇଁ ଭାରତ ଦଳ ପାଇଁ ତାଙ୍କୁ ଚୟନ କରାଯାଇଥିଲା। କାଜିଖସ୍ଥାନ, ଉଜବେକିସ୍ଥାନକୁ ଭାରତ ଦଳ ହରାଇଥିବା ବେଳେ ଇରାନ, ଜାପାନ ଓ ଚାଇନା –ତାଇପେଇ ସହ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରି ଭାରତ ହାରିଯାଇଥିଲା। ୫ଟି ଯାକ ମ୍ୟାଚରେ ମାମାଲି ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିଲେ। ଗତ ବର୍ଷ ମାମାଲିଙ୍କୁ କୋରାପୁଟ ଜିଲ୍ଳାର ଉପାନ୍ତ ଅଂଚଳରୁ ଯାଇ ବହୁ ଅର୍ନ୍ତଜାତୀୟ ପ୍ରତିଯୋଗିତାରେ ଭାରତଦଳ ପାଇଁ ଖେଳିଥିବାରୁ ତାଙ୍କୁ ଜୟପୁରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେ ସମୟକୁ ସେ ଜୀବନରେ କେବେ ଭୁଲିପାରିବେ ନାହିଁ ବୋଲି କହିଛନ୍ତି ମାମାଲି। ସେ ଦିନର ସମ୍ବର୍ଦ୍ଧନା ଉତ୍ସବରେ ସେ ଭାରତ ଦଳରେ ନିଜ ସ୍ଥାନକୁ ବଜାୟ ରଖିବେ ବୋଲି ଦେଇଥିବା ପ୍ରତିଶୃତିକୁ ପାଳନ କରି ଆସୁଛନ୍ତି ବୋଲି କହିଛନ୍ତି ମାମାଲି। ନିଜ ଅଂଚଳ, ଜିଲ୍ଲା ତଥା ଓଡିଶାର ନାଁକୁ ଗୌରବାନ୍ୱିତ କରି ନିଜକୁ ସେ ଧନ୍ୟ ମନେ କରୁଥିବା କହିଛନ୍ତି ମାମାଲି। ଆଗାମୀ ଦିନରେ ବି ଭାରତଦଳରେ ନିଜ ସ୍ଥାନକୁ ବଜାୟ ରଖିବା ସହ ଭାରତର ନାଁକୁ ବିଶ୍ବରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରାଇବା ତାଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ମାମାଲି।