ବଢ଼ୁଛି ମମିତା ତାତି, ତୀବ୍ର ହେଉଛି ଆନ୍ଦୋଳନ

ପୁଲିସ ସହ ଧସ୍ତାଧସ୍ତି, ବିଜେପି କର୍ମୀଙ୍କ ଉପରକୁ ପୁଲିସର ପାଣି ମାଡ଼, ୩୩ ଗିରଫ

ସମ୍ବଲପୁର : ମମିତା ମେହେର ହତ୍ୟାକାଣ୍ଡ ସିବିଆଇ ତଦନ୍ତ ସହିତ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ନେଇ ବିଜେପିର ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ବିଜେପି ପକ୍ଷରୁ କିଛିଦିନ ଆଗରୁ ସମ୍ବଲପୁର ବନ୍ଦ ପାଳନ ସହିତ ଉତ୍ତରାଂଚଳ ଡିଆଇଜି କାର୍ଯ୍ୟାଳୟ ବି ଘେରାଉ ହୋଇଥିଲା। ତେବେ, ଆଜିର ଆନ୍ଦୋଳନ ପୂର୍ବାପେକ୍ଷା ଅଧିକ ତୀବ୍ର ଥିଲା। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଉତ୍ତରାଂଚଳ ଡିଆଇଜି କାର୍ଯ୍ୟାଳୟ ନିକଟରେ ବିଜେପି କର୍ମୀମାନଙ୍କ ଉପରକୁ ପାଣି ମାଡ଼ କରିବାକୁ ପଡ଼ିଥିଲା।

ଗତକାଲି ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଡିଆଇଜି କାର୍ଯ୍ୟାଳୟ ଘେରିବା ସହିତ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ କୁଶ ପୁତ୍ତଳିକା ଦାହ କରିବାକୁ ଘୋଷଣା କରିବା ପରେ ପୁଲିସ ପ୍ରଶାସନ ପକ୍ଷରୁ ରାତାରାତି ବେରିକେଡ୍‌ ତିଆରି କରାଯାଇଥିଲା। ଡିଆଇଜି କାର୍ଯ୍ୟାଳୟକୁ ଯେମିତି କେହି ପଶିପାରିବେ ନାହିଁ, ସେଭଳି ବ୍ୟବସ୍ଥା କରାଯିବା ସହିତ ଆଜି ସକାଳୁ ସେଠାରେ ପୁଲିସ ଫୋର୍ସ ଜଗି ରହିଥିଲେ। ଡିଆଇଜି କାର୍ଯ୍ୟାଳୟ ଅଂଚଳ ଏକ ପ୍ରକାର ପୁଲିସ ଛାଉଣୀରେ ପରିଣତ ହୋଇଯାଇଥିଲା। ଆଜି ଦିନ ସାଢ଼େ ୧୧ଟାରେ ବିଜେପି କାର୍ଯ୍ୟାଳୟରୁ ବିଶାଳ ରାଲିରେ ଦଳୀୟ କର୍ମୀମାନେ ଡିଆଇଜି କାର୍ଯ୍ୟାଳୟ ଅଭିମୁଖେ ବାହାରି ଥିଲେ। ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ, ସମ୍ବଲପୁର ଜିଲ୍ଲା ସଭାପତି ଗିରୀଶ ପଟେଲ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଶ୍ବିନୀ ମାଝୀ ପ୍ରମୁଖଙ୍କ ନେତୃତ୍ବରେ ଶହ ଶହ ବିଜେପି କର୍ମୀ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ରାଲିରେ ଡିଆଇଜି କାର୍ଯ୍ୟାଳୟ ନିକଟରେ ପହଂଚି ଥିଲେ।

ମାତ୍ର ପୁଲିସର ଦୁଇଥାକିଆ ସୁରକ୍ଷା ବ୍ୟବସ୍ଥା ଭାଂଗି କାର୍ଯ୍ୟାଳୟ ଆଡ଼କୁ ଅଗ୍ରସର ହେବା ବେଳେ ପୁଲିସ ସହିତ ବିଜେପି କର୍ମୀମାନଙ୍କ ଧସ୍ତାଧସ୍ତି ହୋଇଥିଲା। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ଆଶଙ୍କାକରି ପୁଲିସ ପକ୍ଷରୁ ବିଜେପି କର୍ମୀମାନଙ୍କ ଉପରକୁ ପାଣିମାଡ଼ କରାଯାଇଥିଲା। ଏହାକୁ ବି ଖାତିର କରିନଥିଲେ ବିଜେପି କର୍ମୀ। ଏଭଳି ସ୍ଥିତିରେ ବାଧ୍ୟ ହୋଇ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ଗିରଫ କରି ଗାଡ଼ିରେ ବସାଇଥିଲା। ଜୟ ନାରାୟଣଙ୍କୁ ଗିରଫ କରିନେଉଥିବା ଦେଖି ବିଜେପି କର୍ମୀ ଅଧିକ ଉତ୍ତେଜିତ ହୋଇଯାଇଥିଲେ। ପୁଲିସ ଗାଡ଼ି ଆଗରେ ଛିଡ଼ା ହୋଇ ଦଳୀୟ କର୍ମୀମାନେ ପ୍ରତିବାଦ କରିଥିବା ବେଳେ ଆହୁରି କିଛି କର୍ମୀ ଗାଡ଼ିକୁ ହାତରେ ପିଟିବା ଆରମ୍ଭ କରିଦେଇଥିଲେ। ତେବେ, ପୁଲିସ ପାଣି ମାଡ଼ ଆହୁରି ତୀବ୍ର କରିବା ସହିତ ଅନ୍ୟ ବିଜେପି ନେତାମାନଙ୍କୁ ଗିରଫ କରି ଶାସନ ଥାନାକୁ ନେଇଯାଇଥିଲା। ଜୟ ନାରାୟଣ, ନାଉରୀ, ଇରାଶିଷ ପ୍ରମୁଖଙ୍କ ସହିତ ୩୩ ଜଣଙ୍କୁ ପୁଲିସ ଗିରଫ କରିଥିଲେ। ଅପରାହ୍‌ଣରେ ସେମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇଥିଲା। ମମିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ଏବଂ ଏହାକୁ ପଞ୍ଚାୟତ ସ୍ତରକୁ ନିଆଯିବ ବୋଲି ବିଜେପି ନେତାମାନେ କହିଛନ୍ତି।

ସମ୍ବନ୍ଧିତ ଖବର