ଜୟପୁର: ସେମିଳିଗୁଡା ଥାନା ଅଂଚଳର ୨୧ବର୍ଷୀୟା ଯୁବତୀ ଜଣକ ଜୟନଗରରେ ଥିବା ନିଜ ବଡ଼ ମା’ଙ୍କ ଘରକୁ ବୁଲିବାକୁ ଆସି ଦୁଷ୍କର୍ମର ଶୀକାର ହୋଇଥିବା ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ମହିଳାଥାନାରେ ଏକ ମାମଲା ଦଫା ୩୭୬(୨)(ଏନ),୪୧୭/୩୧୩/୫୦୬ରେ ରୁଜୁ କରାଯାଇ ଘଟଣାର ତଦନ୍ତ କରି ଅଭିଯୁକ୍ତ ଧର୍ମ ହରିଜନଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରାଯାଇଥିବା କହିଛନ୍ତି ମହିଳା ଥାନା ଅଧିକାରୀ ମମତା ପାଣିଗ୍ରାହୀ।
ମିଳିଥିବା ସୂଚନା ଅନୁଯାୟୀ, ଗତ ୨୦୨୨ମସିହା ନଭେମ୍ବର ୨୦ତାରିଖ ଦିନ ସେମିଳିଗୁଡା ଥାନା ଅଂଚଳର ଯୁବତୀ ଜୟନଗରରେ ରହୁଥିବା ବଡ଼ ମା’ଙ୍କ ଘରକୁ ବୁଲିବାକୁ ଆସିଥିଲେ। ଉକ୍ତ ଅଂଚଳରେ ରହୁଥିବା ଅଭିଯୁକ୍ତ ଧର୍ମ ହରିଜନ ଯୁବତୀଙ୍କ ସହ ପ୍ରେମ ସଂପର୍କ ସ୍ଥାପନ କରିଥିଲେ। ପରେ ତାଙ୍କ ଇଛା ବିରୋଧରେ ତାଙ୍କ ସହ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏବଂ ଏ ସପଂର୍କରେ ବାହାରେ ସମସ୍ତଙ୍କୁ କହିବା ଭୟ ଦେଖାଇ ବାରମ୍ବାର ଦୁଷ୍କର୍ମ କରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଏପରିକି ଯୁବତୀ ଜଣକ ଗର୍ଭଧାରଣ କରିବା ପରେ ଗର୍ଭପାତ ଔଷଧ ଜୋର ଜବରଦସ୍ତ ଖୁଆଇ ଗର୍ଭପାତ କରାଇଥିଲେ। ସେ ତାଙ୍କୁ ବିବାହ କରିବାକୁ ଅନୁରୋଧ କରିବାରେ ଜୀବନରେ ମାରିବାକୁ ଧମକ ଦେଇଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଏ ନେଇ ସେ ଜୟପୁର ମହିଳା ଥାନାରେ ଅଭିଯୋଗ କରିବା ପରେ ସବଇନିସପେକ୍ଟର ଶୁକ୍ଳା ମଣ୍ଡଳ ଘଟଣାର ତଦନ୍ତ କରି ମାମଲା ରୁଜୁ କରିଥିଲେ। ଅଭିଯୁକ୍ତ ଓ ଯୁବତୀଙ୍କର ଡାକ୍ତରୀ ମାଇନା କରାଯାଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟକୁ ଚାଳାଣ କରାଯାଇଥିବା କହିଛନ୍ତି ମହିଳା ଥାନା ଅଧିକାରୀ।