ବୁଢ଼ୀ ମା’କୁ ନିଆଁଚେଙ୍କ; ପୁଅ ଗିରଫ

ହେମଗିର: ନିଜ ଜନ୍ମ କଲା ମାଆକୁ ପୁଅ ନିଆଁଚେଙ୍କ ଦେଇଛି। ଥରେ କି ଦୁଇଥର ନୁହେଁ, ବହୁବାର ନିଆଁଚେଙ୍କ ଦେବାରୁ ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ହେମଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଅଭିଯୁକ୍ତ ମଦୁଆ ପୁଅକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ଅନ୍ତର୍ଗତ ଅର୍ଜୁଣ୍ଡା ଗାଁର ବିଦେଶୀ କିଶାନ(୪୦) ଗତରାତି ପ୍ରାୟ ୧୦ଟା ବେଳେ ଘରକୁ ଫେରି ମାଆକୁ ଖାଇବାକୁ ମାଗିଥିଲା। ଶୀତରୁ ରକ୍ଷା ପାଇବା ପାଇଁ ଚୁଲି ନିଆଁ ପାଖରେ ବସିଥିବା ମାଆ ମିନି କିଶାନ (୭୫)ଙ୍କ ସହିତ ତାଙ୍କର ପାଟିତୁଣ୍ଡ ହୋଇଥିଲା। ବିଦେଶୀ ନିଶାସକ୍ତ ଥିବାରୁ ଉତ୍‌କ୍ଷିପ୍ତ ହୋଇ ଚୁଲିରୁ ଜଳନ୍ତା କାଠ ଆଣି ମାଆର ହାତ, ଗୋଡ, ଜଙ୍ଘ ଆଦି ଶରୀରର ଅନେକ ସ୍ଥାନରେ ନିଆଁଚେଙ୍କ ଦେଇଥିଲା। ନିଆଁ ଲାଗି ତାଙ୍କ ଶରୀରରେ ଫୋଟକା ହେବାରୁ ଯନ୍ତ୍ରଣାରେ ସେ ଚିତ୍କାର କରିଥିଲେ। ତାଙ୍କ ପାଟିଶୁଣି ପଡ଼ୋଶୀ ମିନିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହେମଗିର ଡାକ୍ତରଖାନାକୁ ନେଇଥିଲେ। ତାଙ୍କ ଶରୀରର ୩୦ ପ୍ରତିଶତ ପୋଡି ଯାଇଥିବା ଜଣାଯାଇଛି। ଥାନାରେ ଏତଲା ପରେ ପୁଲିସ ଅଭିଯୁକ୍ତ ବିଦେଶୀକୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର