ଦ୍ବିତୀୟ ବିବାହ କରି ଯୁବକ ଗିରଫ

ରେଢ଼ାଖୋଲ: ପ୍ରଥମ ପତ୍ନୀଙ୍କୁ ଲକ୍ଷେ ଟଙ୍କା ଯୌତୁକ ଆଣିବାକୁ କହି ନିର୍ଯାତନା ଦେବା ଓ ଦ୍ବିତୀୟ ବିବାହ କରୁଥିବା ଜଣେ ଯୁବକଙ୍କୁ ରେଢ଼ାଖୋଲ ପୁଲିସ ଗିରଫ କରିଛି।   ଗିରଫ ଯୁବକ ହେଲେ ବଣିଆବନ୍ଧ ଗ୍ରାମର ପ୍ରଦୀପ ପ୍ରଧାନ(୩୫)। ଅଭିଯୋଗ ଅନୁଯାୟୀ ଆଜକୁ ୪ ବର୍ଷ ତଳେ ପ୍ରଦୀପ ଚାରମାଳ ଥାନା ସାନ ହିନ୍ଦୋଳ ଗ୍ରାମର ପାଣ୍ତବ ପ୍ରଧାନଙ୍କ ଝିଅ ପଦ୍ମିନୀଙ୍କୁ  ବିବାହ କରିଥିଲେ। ତାଙ୍କର ୩ ବର୍ଷର ପୁଅ ଅଛି। ପ୍ରାୟ ବର୍ଷେ ହେଲା ପ୍ରଦୀପ ପଦ୍ମିନୀଙ୍କୁ ମାରପିଟ୍‌ କରିବା ସହ ଲକ୍ଷେ ଟଙ୍କା ବାପ ଘରୁ ଆଣିବାକୁ କହୁଥିଲା। ଏଥିରେ ପଦ୍ମିନୀଙ୍କ ଶ୍ବଶୁର ଓ ଶାଶୂ ମଧ୍ୟ ସହଯୋଗ କରୁଥିବା ସେ ଅଭିଯୋଗ କରିଥିଲେ। ନିର୍ଯାତନା ସହ୍ୟ କରି ନପାରି କିଛିଦିନ ହେଲା ବାପ ଘରେ ରହୁଥିଲେ। ଆଜକୁ ପ୍ରାୟ ସପ୍ତାହେ ହେବ ଅନୁଗୁଳ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଦୀପ ବିବାହ କରି ଘରକୁ ଆଣିଥିଲେ। ପଦ୍ମିନୀ ଏହା ଜାଣିପାରି ବୁଧବାର ଚାରମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ କେସ ନମ୍ବର ୧୮୩  ଓ ଧାରା ୪୯୮(ଡିଏ), ୪୯୮(ଏ), ୩୨୩, ୨୯୪, ୫୦୬, ୪ଡିପି ଆକ୍ଟରେ ମାମଲା ରୁଜୁ କରି ପ୍ରଦୀପକୁ ଗିରଫ କରିଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବସନ୍ତ  ଦଳାଇ କହିଛନ୍ତି। ଘଟଣାରେ ସଂପୃକ୍ତ ପଦ୍ମିନୀଙ୍କ ଶାଶୂ ଓ ଶ୍ବଶୁରଙ୍କୁ ମଧ୍ୟ ନୋଟିସ୍‌ କରାଯାଇଛି।

ସମ୍ବନ୍ଧିତ ଖବର