ମା, ଝିଅର ସାମୂହିକ ମୃତ୍ୟୁ ମାମଲା: ସ୍ୱାମୀ ଗିରଫ

ଅଧିକ ଯାଂଚ ପାଇଁ ଭିସସେରା ପରୀକ୍ଷାଗାରକୁ ପଠାଗଲା

ଖୋର୍ଦ୍ଧା : ଖୋର୍ଦ୍ଧା ନିକଟସ୍ଥ ପାଟପୁର ଗାଁରେ ଗତକାଲି ଅପରାହ୍ଣରେ ମା ଓ ଝିଅଙ୍କ ମୃତ ଦେହ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ପୁଲିସ ଉଦ୍ଧାର କରିଥିଲା । ଏହି ଘଟଣାରେ ଆଜି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଫରେନ୍ସିକ୍ ଟିମ୍ ଦ୍ୱାରା ସରଜମିନ ତଦନ୍ତ କରାଯାଇଛି । ଯେଉଁ ଲୁଗାରେ ମା’ ଓ ଝିଅଙ୍କ ମୃତଦେହ ଝୁଲୁଥିଲା ସେହି ଲୁଗାକୁ ଜବତ କରିବା ସହ ଏହାର ଅଧିକ ଯାଂଚ ପାଇଁ ଫରେନ୍ସିକ୍ ଲ୍ୟାବକୁ ପଠାଯାଇଛି । ଏହା ସହ ଘଟଣାସ୍ଥଳରୁ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ କରାଯାଇଛି । ଅପରପକ୍ଷରେ ଆଜି ଏକ ଡାକ୍ତରୀ ଦଳ ଦ୍ୱାରା ଉଭୟ ମା’ ଓ ଝିଅଙ୍କ ମରଶରୀରର ବ୍ୟବଚ୍ଛେଦ କରାଯାଇଛି । ଶରୀରର ଭିସସେରାକୁ ଅଧିକ ଯାଂଚ ପାଇଁ ପରୀକ୍ଷାଗାରକୁ ପଠାଯାଇଛି । ଉଭୟ ମୃତଦେହକୁ ମହିଳାଙ୍କ ପିତା ଅଶ୍ୱିନୀକୁମାର ପଣ୍ଡାଙ୍କୁ ହସ୍ତାନ୍ତର କରାଯାଇଛି । ସତ୍ୟବାଦୀ ଥାନା ଅନ୍ତର୍ଗତ ସେମାନଙ୍କ ନିଜ ଗାଁରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାଯାଇଛି ।

ଘଟଣାସମ୍ପର୍କରେ ସୂଚନା ଦେଇ ଟାଉନ୍ ଥାନାର ଭାରପ୍ରାପ୍ତ ଅଧିକାରୀ ବିକେ ବେହେରା କହିଛନ୍ତି ଯେ ବ୍ୟବଚ୍ଛେଦ ପରେ ମୃତ ଦେହକୁ ସେମାନଙ୍କ ପିତାମାତାଙ୍କୁ ହସ୍ତାନ୍ତର କରାଯାଇଛି । ମୃତ ରାଜଶ୍ରୀଙ୍କ ପିତା ଅଶ୍ୱିନୀ ପଣ୍ଡାଙ୍କ ରିପୋର୍ଟ ଭିତ୍ତିରେ ରାଜଶ୍ରୀଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି । ତେବେ ଏଥିରେ ରଜଶ୍ରୀଙ୍କ ଶ୍ୱଶୁର ଓ ଶ୍ୱଶୁର ଘର ଅନ୍ୟ ସଦସ୍ୟ ସମ୍ପୃକ୍ତ ଅଛନ୍ତି କି ବୋଲି ପଚାରାଯିବାରେ ସେ କହିଛନ୍ତି ଯେ ଏନେଇ ଅନୁସନ୍ଧାନ ଚାଲିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ।

ସମ୍ବନ୍ଧିତ ଖବର