ବିଚ୍ ରାସ୍ତାରେ ନାବାଳିକାଙ୍କୁ ହାଣିବା ଘଟଣା: ଅଭିଯୁକ୍ତ ଯୁବକ ଗିରଫ

ଖଇରା: ବାଲେଶ୍ବର ଜିଲ୍ଲା ଖଇରା ଥାନା ତୁଟ ଗ୍ରାମରେ ଜଣେ ନାବାଳିକା ଛାତ୍ରୀଙ୍କୁ ଭୁଜାଲିରେ ପ୍ରାଣାନ୍ତକ ଆକ୍ରମଣ କରିଛି ସେହି ଗାଁର ଜଣେ ଯୁବକ। ଦଶମ ଶ୍ରେଣୀରେ ପଢୁଥିବା ଏହି ନାବାଳିକାଜଣକ ଆଜି ସକାଳେ ସାଙ୍ଗମାନଙ୍କ ସହିତ ଟିଉସନ୍‌ ଯିବା ସମୟରେ ତୁଟ-ସମ୍ପେଇ ମଝାମଝି ଏକ ପଡ଼ିଆ ନିକଟରେ ଗ୍ରାମର ରଶ୍ମୀରଞ୍ଜନ ଦାସ ଓରଫ ପପୁ (୨୪) ନାବାଳିକାଙ୍କୁ ଅଟକାଇ ଭୁଜାଲିରେ ଅତର୍କିତ ଆକ୍ରମଣ କରିଥିଲା। ଏହି ଘଟଣାରେ ଭୟଭୀତ ହୋଇ ନାବାଳିକାଙ୍କ ସାଙ୍ଗମାନେ ସେଠାରୁ ଜୀବନ ବିକଳରେ ଦୌଡ଼ି ପଳାଇଥିଲେ। ଆକ୍ରମଣରେ ନାବାଳିକାଙ୍କ ମୁଣ୍ଡ, ମୁହଁ, ହାତ ଓ ବେକରେ ଗଭୀର ଆଘାତ ଲାଗିଥିବାବେଳେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଖଇରା ଡାକ୍ତରଖାନା ଏବଂ ସେଠାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ପରିଲକ୍ଷିତ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଏ ନେଇ ନାବାଳିକାଙ୍କ ବାପା ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖଇରା ଥାନା ଆଇଆଇସି ବଲ୍ଲଭ ସାହୁଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇ ଶ୍ୟାମସୁନ୍ଦର ବିନ୍ଧାଣୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଅଭିଯୁକ୍ତ ଯୁବକକୁ ଗିରଫ କରିଛନ୍ତି। ଏ ନେଇ ୧୨୭/୨୧ରେ ଏକ ମାମଲା ରୁଜୁ ହୋଇଛି। ଏକତରଫା ପ୍ରେମରେ ବିଫଳ ହୋଇ ଯୁବକ ଜଣକ ଏଭଳି କାଣ୍ଡ ଭିଆଇଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର