ସ୍ବାମୀ ହତ୍ୟା ଦୋଷ ମୁଣ୍ଡାଇ ପତ୍ନୀ ଜେଲ୍ ଯିବା ଘଟଣା: ୬ ମାସ ପରେ ପ୍ରେମିକ ଗିରଫ

ସୁନ୍ଦରଗଡ଼: ୨୦୨୧ ମାର୍ଚ୍ଚ ୧୦ରେ ତଳସରା ଥାନା ବାଲିଶଙ୍କରାର ପ୍ରକାଶ କୁଜୁରଙ୍କ ହତ୍ୟା ହୋଇଥିଲା। ପ୍ରେମିକ କଥାରେ ପଡ଼ି ପତ୍ନୀ ସୁଷମା କୁଜୁର ପ୍ରକାଶଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଖୋଦ୍ ସୁଷମା ନିଜେ ହତ୍ୟା ଦୋଷ ମୁଣ୍ଡାଇ ଜେଲ୍ ଯାଇଥିଲେ। କିନ୍ତୁ ଜେଲ୍ରୁ ଜାମିନରେ ଆସିବା ପରେ ସ୍ବାମୀ ପ୍ରକାଶଙ୍କ ହତ୍ୟା ସେ ନୁହେଁ, ତାଙ୍କ ପ୍ରେମିକ ସଉନାମୁରାର ଅଶ୍ବିନୀ ନାଏକ କରିଥିବା ପ୍ରକାଶ କରି ଥାନାରେ ଲିଖିତ ଅଭିଯୋଗ ଦେବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପରକୀୟା ପ୍ରେମ ପରେ ବିବାହ ପ୍ରତିଶ୍ରୁତି ଦେବାରୁ ସେ ଅଶ୍ବିନୀଙ୍କ ଦୋଷ ନିଜ ମୁଣ୍ଡକୁ ନେଇଥିଲେ ବୋଲି ସୁଷମା ଉଲ୍ଲେଖ କରିଛନ୍ତି।

ଏ ସମ୍ପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହା ମଧ୍ୟରେ ଶନିବାର ପୁଲିସ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଏକ ମାମଲା ରୁଜୁ କରି ଅଶ୍ବିନୀକୁ ଗିରଫ କରିଛି। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ପ୍ରକାଶ କରିଛନ୍ତି। ସୁଷମାଙ୍କ କହିବା ଅନୁସାରେ, ବାଲିଶଙ୍କରା ଭାଟିପଡ଼ାର ସୁଷମା କୁଜୁର ୨୦୦୪ରେ ଅଷ୍ଟମ ପଢ଼ୁଥିବା ବେଳେ ସେହି ଗାଁର ପ୍ରକାଶ କୁଜୁରଙ୍କୁ ବିବାହ କରିଥିଲେ। ପ୍ରକାଶ ଦାଦନ ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ବହୁ ସମୟରେ ସେ ମୁମ୍ବାଇରେ ରହୁଥିଲେ ଓ କେବଳ ବିଭିନ୍ନ ପୂଜାପର୍ବରେ ଘରକୁ ଆସୁଥିଲେ।

ପ୍ରକାଶଙ୍କ ଔରସରୁ ସୁଷମାଙ୍କ ଗର୍ଭରୁ ଦୁଇଟି ପୁଅ ଜନ୍ମ ହୋଇଥିଲେ। ତେବେ ସ୍ବାମୀ ନଥିବାରୁ ଘର ଚଳାଇବା ପାଇଁ ସୁଷମା ଠିକା ଓ ରାଜନୀତିରେ ମନ ଦେଇଥିଲେ। ଏହି ସମୟରେ ବିଦ୍ୟୁତ ବିଲ୍ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ପାଖ ଗାଁ ସଉନାମୁରାର ଜଣେ ଯୁବକ ଅଶ୍ବିନୀ ନାଏକ ତାଙ୍କୁ ପ୍ରେମ ଜାଲ ଫିଙ୍ଗିଥିଲା। ପ୍ରଥମେ ପ୍ରଥମେ ପରକୀୟା ପ୍ରେମକୁ ନାହିଁ ନାହିଁ କରୁଥିଲେ ମଧ୍ୟ ସ୍ବାମୀଙ୍କ ଅନୁପସ୍ଥିତିର ଏକ୍ଲାପଣରେ ଉଦାସ ଥିବା ସୁଷମା ପରେ ଫସି ଯାଇଥିଲେ। ସ୍ବାମୀ, ସନ୍ତାନ ଥାଇ ବି ସେ ଯୁବକଙ୍କ ପ୍ରେମରେ ମତୁଆଲ୍ ହେଲେ। ପ୍ରେମ ଏତେ ବଢ଼ି ଯାଇଥିଲା ଯେ, ସୁଷମା ନିଜକୁ ତା ପାଖରେ ସମ୍ପୂର୍ଣ୍ଣ ସମର୍ପି ଦେଇଥିଲେ। ଏ କଥା କାନରୁ ଦୁଇ କାନ ହୋଇ ସ୍ବାମୀ ପ୍ରକାଶଙ୍କ କାନରେ ପଡ଼ିଥିଲା। ସେ ଦିନେ ଘରକୁ ଆସି ସୁଷମାଙ୍କୁ ନିର୍ଯାତନା ଦେବା ସହ ମାଡ଼ପିଟ କରିଥିଲେ ମଧ୍ୟ ସୁଷମା ପ୍ରେମରେ ବୁଡ଼ି ରହିଥିଲେ।

୨୦୨୧ ଜାନୁଆରି ୩୧ରେ ସୁଷମାଙ୍କ ଶ୍ବଶୁରଙ୍କ ଦେହାନ୍ତ ହୋଇଗଲା। ଏହି ସମୟରେ ପ୍ରକାଶ ଘରକୁ ଆସି ରହିଥିଲେ। ଘଟଣା ଦିନ ଅର୍ଥାତ ମାର୍ଚ୍ଚ ୧୦ ତାରିଖ ରାତି ପ୍ରକାଶ ପାଇଁ କାଳ ଡାକିଥିଲା। ସେଦିନ ଟୁଙ୍ଗୁରିପଡ଼ାର ରାସ୍ତା ଠିକା କାମରେ ବ୍ୟସ୍ତ ଥିବା ସୁଷମାଙ୍କୁ ରାତି ହୋଇଯାଇଥିବାରୁ ଜଣେ ବାଇକରେ ଘରେ ଛାଡ଼ିଥିଲା। କିନ୍ତୁ ସ୍ବାମୀଙ୍କୁ କେହି ଜଣେ ସଉନାମୁରାର ପ୍ରେମିକ ଅଶ୍ବିନୀ ସୁଷମାଙ୍କୁ ବାଇକରେ ଛାଡ଼ିଥିବା ସୂଚନା ଦେଲା। ଯେଉଁଥିରେ ଉତକ୍ଷିପ୍ତ ହୋଇ ପ୍ରକାଶ ସୁଷମାଙ୍କୁ ମାଡ଼ ମାରି ଘରେ ବନ୍ଦ କରି ଦେଇଥିଲେ। ରାତି ୧୧ଟାରେ ସୁଷମା ପ୍ରାଣ ଭୟରେ ରୋଷେଇ ଘର କାନ୍ଥ ଭାଙ୍ଗି ପଳାଇ ଯାଇ ଘର ପାଖ ଏକ ଗଛ ମୂଳେ ବସିଥିଲେ। ଏହି ସମୟରେ ଅଶ୍ବିନୀ ଖବର ପାଇ ସଉନାମୁରାରୁ ଆସି ଘରେ ପଶିଥିଲା। ସୁଷମା କ’ଣ ହେଲା, ପ୍ରେମିକ କାହିଁକି ପଶିଛି ବୋଲି ଦେଖିବାକୁ ଘର ପାଖକୁ ଆସିଲା ବେଳକୁ ସେ ଘରୁ ବାହାରି ଯାଇଥିଲା। ଗଲା ବେଳେ କହିଲା ସେ ପ୍ରକାଶକୁ ମାରି ଦେଇଛି। ସେ ଜେଲ୍ ଗଲେ, ଜାମିନରେ ଆସିବା ସମ୍ଭବ ନୁହେଁ। ତେଣୁ ତମେ ଯାଅ, ମୁଁ ଜାମିନରେ ଆଣି ବିବାହ କରିବି ବୋେଲି କୁଆଡ଼େ କହିବା ପରେ ଅନ୍ଧପ୍ରେମରେ ବୁଡ଼ିଥିବା ସୁଷମା ରାଜି ହୋଇ ରାତି ୩ଟାରେ ତଳସରା ଥାନାକୁ ଯାଇ ଆତ୍ମ ସପର୍ମଣ କରିଥିଲା। ୫ ମାସ ଜେଲରେ ରହିବା ପରେ ଗତ ସେପ୍ଟେମ୍ବର ୨୪ରେ ସୁଷମା ଜାମିନରେ ବାହାରକୁ ଆସିଲେ। କିନ୍ତୁ ବିବାହର ପ୍ରତିଶ୍ରୁତି ଦେଇଥିବା ପ୍ରେମିକ ଆଉ ଧରାଛୁଆଁ ନଦେବାରୁ ନ୍ୟାୟ ପାଇଁ ସୁଷମା ଏସପିଙ୍କ ପାଖରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର