୪ ସାଥୀଙ୍କ ମିଳିଲାନି ସହଯୋଗ, ୩ ଭାଲୁ ସହ ଲଢେଇ କରି ଜୀବନ ବଞ୍ଚାଇଲେ ସାହସୀ ପର୍ଶୁରାମ

ଡାବୁଗାଁ (ସଂଜୟ ପାଢ଼ୀ): ଗୋଟିଏ ନୁହଁ କି ଦୁଇଟି ନୁହଁ। ଏକ ଥରକେ ୩ ଟି ଭାଲୁ ସହ ଲଢ଼େଇ କରି ନିଜ ଜୀବନ ବଞ୍ଚାଇ ପାରିଛନ୍ତି ସାହସୀ ପର୍ଶୁରାମ ଗୌଡ (୫୫)। ହାତରେ ଗୋଟିଏ ଠେଙ୍ଗା ଧରି ଥିବାରୁ ନିଶ୍ଚିତ ମୃତ୍ୟୁ ମୁଖରୁ ସେ ଆଜି ନିଜ ଜୀବନକୁ ବଞ୍ଚାଇ ପାରିଛନ୍ତି।

୩ ଟି ଭାଲୁ ସହ ଲଢେଇ ବହୁ ସମୟ ଧରି ଲଢ଼େଇ କରିଥିବାରୁ ସେ ଆହତ ହୋଇଛନ୍ତି। ତାଙ୍କ ଡ଼ାହାଣ ଗୋଡ଼ରେ ଗୋଟିଏ ଭାଲୁ କାମୁଡ଼ି ଦେଇଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଞ୍ଚଳା ପଞ୍ଚାୟତ ଅନ୍ତର୍ଗତ କକଡାଗୁଡ଼ା ଗ୍ରାମର ପର୍ଶୁରାମ ଗୌଡ ଆଜି ଅପରାହ୍ଣରେ ଗୋରୁ ଚରାଇବା ପାଇଁ ୩ କିମି ଦୂର ହଳଦୀ ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ। ସାଥିରେ ଗ୍ରାମର ୪ ଜଣ ସାଥୀ ଥିଲେ। ହଠାତ୍‌ ଜଙ୍ଗଲ ମଧ୍ୟରୁ ଗୋଟିଏ ବଡ଼ ମାଈ ଭାଲୁ ସହ ଆଉ ଦୁଇଟି ଭାଲୁ ଏମାନଙ୍କ ମୁହଁରେ ଉଭା ହୋଇଗଲେ ଏବଂ ଅତର୍କିତ ଭାବେ ପର୍ଶୁରାମଙ୍କୁ ଆକ୍ରମଣ କରିଥିଲେ।

ପର୍ଶୁରାମ ସାହସ ଜୁଟାଇ ଗୋରୁ ଘଉଡ଼ିବା ପାଇଁ ହାତରେ ଗୋଟିଏ ଠେଙ୍ଗା ଧରିଥିବାରୁ ସେ ବର୍ତ୍ତି ଯାଇଛନ୍ତି। ଆକ୍ରମଣ କରୁଥିବା ଭାଲୁକୁ ଠେଙ୍ଗାରେ ଆକ୍ରମଣ  କରିଛନ୍ତି। ପର୍ଶୁରାମ ସହ ଜଙ୍ଗଲକୁ ଆସିଥିବା ତାଙ୍କ ଗ୍ରାମର ଚାରି ଜଣ ଲୋକେ ଭାଲୁମାନଙ୍କୁ ଦେଖି ଭୟରେ ସେଠାରୁ ଜୀବନ ବିକଳରେ ଚାଲି ଯାଇଥିଲେ। 

ଖବର ପାଇ ପର୍ଶୁରାମର ପୁଅ ମଙ୍ଗଲ ସାଇ ଜଙ୍ଗଲ ମଧ୍ୟରୁ ତା ବାପାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଏମ୍ବୁଲାନ୍‌ସ ଯୋଗେ ଡାବୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ପର୍ଶୁରାମଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଡାବୁଗାଁ ବନପାଳ ଲକ୍ଷ୍ମୀକାନ୍ତ ସାହୁ ଗୁରୁତର ପର୍ଶୁରାମଙ୍କୁ ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭେଟି ଆଶୁ ଆରୋଗ୍ୟ କାମନା କରିଥିଲେ। ପର୍ଶୁରାମ ଏକ ଗରିବ ପରିବାରର ହୋଇଥିବାରୁ ସରକାରୀ ସାହାଯ୍ୟ ପାଇଁ ସାଧାରଣରେ ଦାବି ହୋଇଛି।

 

ସମ୍ବନ୍ଧିତ ଖବର