ଛୁରାମାଡ଼ କରି ମୋଟର ସାଇକେଲ୍‌ ଲୁଟିନେଲେ ଦୁର୍ବୃତ୍ତ

ନବରଙ୍ଗପୁର: ଛୁରାମାଡ଼ କରି ଦୁଇ ଜଣ ଦୁର୍ବୃତ୍ତ ଆଜି ସନ୍ଧ୍ୟାରେ ଜଣେ ବ୍ୟକ୍ତିଙ୍କ ଠାରୁ ମୋଟର ସାଇକେଲ୍‌ ଲୁଟି ନେଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଛାଲିପେଟା ଗାଁ ନିକଟରେ। ଲୁଟ୍‌ର ଶିକାର ହୋଇଛନ୍ତି ଚନ୍ଦ୍ରସାଏ ନାୟକ (୫୦)

ସୂଚନା ଅନୁଯାୟୀ ଛେଲିପେଟା ଗାଁର ଚନ୍ଦ୍ରସାଏ ନାୟକ ଆଜି ସନ୍ଧ୍ୟାରେ କୋଡ଼ିଙ୍ଗାରୁ ନିଜ ଗ୍ରାମ ଛାଲିପେଟାକୁ ଫେରୁଥିଲେ। ତେବେ ଛାଲିପେଟା ଗାଁରୁ ୫୦୦ ମିଟର ଦୂରରେ ଥିବା ଜଙ୍ଗଲିଆ ରାସ୍ତାରେ ଦୁଇଜଣ ଦୁର୍ବୃତ୍ତ ହାତ ମାରିଥିଲେ। ଚନ୍ଦ୍ରସାଏ ଲିଫ୍‌ଟର ଆବଶ୍ୟକତା ଥିବା ଭାବି ବାଇକଟିକୁ ରଖିଥିଲେ। ବାଇକ ରଖିବା ମାତ୍ରେ ଦୁଇଜଣ ଦୁର୍ବୃତ୍ତ ଚନ୍ଦ୍ରସାଏ ଉପରକୁ ଅତର୍କିତ ଛୁରା ମାଡ଼ କରିଥିଲେ। ଏହା ପରେ ଦୁର୍ବୃତ୍ତମାନେ ଚନ୍ଦ୍ରସାଏଙ୍କ ପେଟରେ ଏବଂ ହାତରେ ଛୁରା ମାଡ଼ କରିଥିଲେ। ଫଳରେ ସେ ତଳେ ପଡ଼ିି ଯାଇଥିଲେ। ପରେ ଦୁଇଜଣ ଦୁର୍ବୃତ୍ତମାନେ ମୋଟର ସାଇକେଲ ଧରି ଚମ୍ପଟ ମାରିଥିଲେ।

ଚନ୍ଦ୍ରସାଏଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଗୁରୁତର ଅବସ୍ଥାରେ ନବରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ଚନ୍ଦ୍ରସାଏଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର