ମନ୍ଦିର ବାରଣ୍ଡାରେ ଶୋଇଥିବା ବେଳେ ଅଟୋ ଚାଳକଙ୍କୁ ପନିକିରେ ଆକ୍ରମଣ, ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି

ବ୍ରହ୍ମପୁର: ମନ୍ଦିର ବାରଣ୍ଡାରେ ଶୋଇଥିବା ବେଳେ ଜଣେ ଅଟୋ ଚାଳକଙ୍କୁ ପନିକିରେ ଆକ୍ରମଣ କରାଯାଇଛି। ଗଞ୍ଜାମ ଜିଲ୍ଲା ପୋଲସରା ସହରରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିିଛି। ଆକ୍ରମଣର ଶିକାର ହୋଇଛନ୍ତି ସୁଶାନ୍ତ ସାହୁ। ଆକ୍ରମଣ ପରେ ଅଭିଯୁକ୍ତ ପୋଲସରା ଥାନା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଆଜି ଅପରାହ୍ନରେ ସୁଶାନ୍ତ ପୋଲସରା ସହରର ତ୍ରିନାଥ ମନ୍ଦିର ପରିସରରେ ଶୋଇଥିଲେ। ଏହି ସମୟରେ ଜଣେ ଲୋକ ପନିକି ନେଇ ସୁଶାନ୍ତଙ୍କ ନିକଟକୁ ଆସିଥିଲା। ଅଭିଯୁକ୍ତ ଜଣକ ସୁଶାନ୍ତଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଏହା ପରେ ସେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ସୁଶାନ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ସୁଶାନ୍ତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସମୟରେ ଅଭିଯୁକ୍ତ ଆସି ଆତ୍ମସମର୍ପଣ କରିଛି।

ସମ୍ବନ୍ଧିତ ଖବର