ପ୍ରେମ, ପ୍ରତାରଣା ପରେ ଯୁବତୀଙ୍କୁ ଏସିଡ୍ ପକାଇ ମାରିବାକୁ ଉଦ୍ୟମ, ଜଣେ ଗିରଫ

ଖୋର୍ଦ୍ଧା: ମନ୍ଦ ଉଦ୍ଦେଶ୍ୟ ରଖି ପ୍ରଥମେ ପ୍ରେମର ନାଟକ କରିଚାଲିଥିଲା । ପ୍ରେମିକା ନିକଟରେ ଧରାପଡ଼ିବା ପରେ ତାକୁ ଏସିଡ୍ ପକାଇ ମାରିଦେବାକୁ ଉଦ୍ୟମ କରୁଥିବା ଭଳି ଏକ ଚାଂଚଲ୍ୟକର ଘଟଣାରେ ଆଜି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନାନୁସାରେ, ପୁରୀ କୁମ୍ଭାରପଡ଼ା-ମାଳିସାହିର ସୂର୍ଯ୍ୟକାନ୍ତ ପାଇକାରୟ ନାମକ ଜଣ ଯୁବକ ବାଲିପାଟଣାର ଜଣେ ଯୁବତୀଙ୍କୁ ଭଲପାଇବା ଆରମ୍ଭ କରିଥିଲେ । କିଛି ଦିନ ଧରି ଯୁବତୀଜଣକ ଏହା ଜାଣିପାରିନଥିଲେ। ଯୁବକଙ୍କ ମନ୍ଦ ଉଦ୍ଦେଶ୍ୟ ଜାଣିବା ପରେ ସେ ତାଙ୍କ ଠାରୁ ଦୂରେଇ ଯାଇଥିଲେ । କିନ୍ତୁ ଯୁବକଜଣକ ତାଙ୍କୁ ନାନା ପ୍ରକାର ହଇରାଣ କରିବା ଆରମ୍ଭ କରିଥିଲେ । ଏନେଇ ଯୁବତୀ ଜଣକ ନିମାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଯୁବକଙ୍କ ଅତ୍ୟାଚାର କମିବା ପରିବର୍ତ୍ତେ  ବଢ଼ିବାରେ ଲାଗିଲା । ଫେସ୍‌ବୁକ୍‌  ଆଦି ସାମାଜିକ ଗଣମାଧ୍ୟମରେ ଯୁବତୀଙ୍କ ସହ ତାଙ୍କର ଫଟୋସପ୍‌ କରାଯାଇଥିବା ଫଟୋ ପକାଇ ନିନ୍ଦିତ କରିବା ସହ ଫୋନ୍ କରି ଧମକଚମକ ଦେବା ଆରମ୍ଭ କରିଥିଲେ । ସୂର୍ଯ୍ୟକାନ୍ତଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଦୁଇମାସ ପୂର୍ବେ ଯୁବତୀଜଣକ ଖୋର୍ଦ୍ଧା ଚାଲିଆସି ଏକ ଘରୋଇ ହସ୍ପିଟାଲ୍ରେ କାମ କରିଥିଲେ ।

ଯୁବତୀଙ୍କ ଖୋର୍ଦ୍ଧା ଠିକଣା ପାଇ ୧୬ ତାରିଖ ରାତି ପ୍ରାୟ ୧୦ଟାରେ ସୂର୍ଯ୍ୟକାନ୍ତ ଓ ଅନ୍ୟ ଦୁଇଜଣ ସହଯୋଗୀ ଖୋର୍ଦ୍ଧାରେ ପହଂଚିଯାଇଥିଲେ । ଯୁବତୀଙ୍କୁ ଫୋନ୍ କରି ଧମକ ଦେଇଥିଲେ ଯେ ଯଦି ସେ ତାଙ୍କ ଭେଟିବାକୁ ନଆସନ୍ତି ତେବେ ତାଙ୍କର ପୂର୍ବର ଫଟୋ ସବୁ ହସ୍ପିଟାଲ୍ କାନ୍ଥରେ ଲଗାଇବେ । ସମ୍ମାନକୁ ଭୟ କରି ଯୁବତୀ ଜଣକ ଘର ବାହାରକୁ ଆସିବା ବେଳେ ସୂର୍ଯ୍ୟକାନ୍ତର ସହଯୋଗୀ ଦୁଇଜଣ ତାଙ୍କୁ ଭିଡ଼ି ଧରି ନେବା ଉଦ୍ୟମ କଲେ ଓ ସୂର୍ଯ୍ୟକାନ୍ତ ତାଙ୍କ ମୁହଁରେ ଏସିଡ୍ ପକାଇବାକୁ ଉଦ୍ୟମ କରିଥିଲା । ଯୁବତୀ ଜଣକ ଭୟଭୀତ ହୋଇ ଚିକ୍ରାର କରିବାରୁ ସେ କାମ କରୁଥିବା ଘରୋଇ ହସ୍ପିଟାଲ୍ର ଅନ୍ୟ କର୍ମଚାରୀ ଓ ସୁରକ୍ଷାକର୍ମୀ ସବୁ ଦୌଡ଼ି ଆସିଥିଲେ ଓ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଯୁବତୀ ଜଣକ ଏନେଇ ୧୭ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ୧୮ ତାରିଖରେ ପୁଲିସ ଯୁବକଙ୍କୁ ଗିରଫ କରିଥିଲା । ଏନେଇ ଥାନା ଅଧିକାରୀ ସଂଜୟ କୁମାର ପଟ୍ଟନାୟକ କହିଛନ୍ତି ଯେ ଯୁବତୀଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରାଯାଇଛି । ଆଜି ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି ।

 

ସମ୍ବନ୍ଧିତ ଖବର