ଗଞ୍ଜାମ: ଗଞ୍ଜାମ ସହର ସଂଲଗ୍ନ ବ୍ରିଜ୍ ଉପରୁ ଋଷିକୁଲ୍ୟା ନଦୀକୁ ଡେଇଁ ଆଜି ଜଣେ ବିବାହିତ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳାଜଣକ ହେଉଛନ୍ତି, ଗଞ୍ଜାମ ବ୍ଲକ ବିରିପୁର ଗ୍ରାମର ନର୍ମଦା ବେହେରା। ତେବେ ତାଙ୍କୁ ଜଣେ ବ୍ୟକ୍ତି ତାଙ୍କୁ ସୁରକ୍ଷିତ ଓ ଜୀବିତାବସ୍ଥାରେ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଏହାପରେ ସ୍ବେଚ୍ଛାସେବୀମାନେ ପହଞ୍ଚି ବୁଝାସୁଝା କରିବା ସହ ତାଙ୍କୁ ଗଞ୍ଜାମ ଥାନା ପୁଲିସକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।
ନର୍ମଦା ଆସିକା ଥାନା ନୂଆଗାଁରେ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ତେବେ ଏହାମଧ୍ୟରେ ହୁମ୍ମା ଗ୍ରାମର ଜଣେ ଯୁବକଙ୍କ ସହ ପ୍ରେମ ସଂପର୍କ ରଖି ସେ ପରିବାର ଛାଡ଼ି ଚାଲିଆସିଥିଲେ। କିନ୍ତୁ କିଛିବର୍ଷ ପରେ ଉକ୍ତ ଯୁବକ ସହ ନର୍ମଦାଙ୍କ ମନୋମାଳିନ୍ୟ ହେବାରୁ ସେ ସ୍ବାମୀଙ୍କ ପାଖକୁ ଫେରିଆସିଥିଲେ। ତେବେ ସ୍ବାମୀ ତାଙ୍କୁ ପାଖରେ ରଖିବାକୁ ମନା କରିବାରୁ ସେ ବାପଘର ବିରିପୁର ଗ୍ରାମକୁ ଆସିଥିଲେ। କିନ୍ତୁ ବାପାମାଆ ମରିଯାଇଥିବାରୁ ଭାଇମାନେ ମଧ୍ୟ ତାଙ୍କୁ ପାଖରେ ରଖିବାକୁ ରାଜି ହୋଇ ନଥିଲେ।
ମାନସିକସ୍ତରରେ ନର୍ମଦା ଭାଙ୍ଗି ଆତ୍ମହତ୍ୟା ପାଇଁ ଚରମ ନିଷ୍ପତ୍ତି ନେଇଥିଲେ। ଆଜି ସକାଳ ପ୍ରାୟ ୧୦ଟାରେ ନର୍ମଦା ବଡ଼ଶଙ୍ଖସ୍ଥିତ ରେଳବ୍ରିଜ୍ ଉପରୁ ଋଷିକୁଲ୍ୟା ନଦୀକୁ ଡେଇଁ ପଡ଼ିଥିଲେ। ଏହା ଦେଖି କାଇଞ୍ଚପୁର ଗ୍ରାମର ପର୍ଶୁ ଦାସ ନଦୀଗର୍ଭକୁ ଡେଇଁ ନର୍ମଦାଙ୍କୁ ଉଦ୍ଧାର କରିଥିଲେ। ସ୍ୱେଚ୍ଛାସେବୀ ସମା ରେଡ୍ଡୀ, ଦୁର୍ଗାମାଧବ ପାଣିଗ୍ରାହୀ, ସଦା ରେଡ୍ଡୀ, ଅନୁପ ପାତ୍ର, ମାନସ ପଣ୍ଡା ଓ ଅସ୍ମିତ ପଣ୍ଡା ପହଞ୍ଚି ନର୍ମଦାଙ୍କ ସହ କଥାବାର୍ତ୍ତା ହୋଇଥିଲେ। ପରେ ଗଞ୍ଜାମ ଥାନାଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ସୂଚନା ଦିଆଯିବା ସହ ପୁଲିସକୁ ହସ୍ତାନ୍ତର କରାଯାଇଛି।