ପରିସ୍ରା କରିବା ବାହାନାରେ ବସ୍‌ରୁ ଓହ୍ଲାଇଲେ, ଦୟାବ୍ରିଜ ଉପରୁ ପାଣିକୁ ଡେଇଁପଡ଼ିଲେ ଯୁବକ

ଧଉଳି: ଭୁବନେଶ୍ବର–ପୁରୀ ଜାତୀୟ ରାଜପଥର ଧଉଳି ଥାନା ଅଧୀନ ଦୟାନଦୀ ବ୍ରିଜ ଉପରୁ ଆଜି ଜଣେ ଯୁବକ ତଳକୁ ଡେଇଁପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଆହତ ଯୁବକ ହେଲେ ମୟୂରଭଂଜ ଜିଲ୍ଲା ଯଶୀପୁର ଥାନା ଅଧୀନ ମଣଦା ଗ୍ରାମର ଦେବେନ୍ଦ୍ର ଟିୟୁ (୩୦) । ଦେବେନ୍ଦ୍ରଙ୍କର ଗୋଡ଼, ହାତ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । ମୁଣ୍ଡରୁ ପ୍ରଚୁର ରକ୍ତଶ୍ରାବ ହେବାରୁ ସେ ବେହୋସ ହୋଇପଡ଼ିଥିଲେ । ଖବର ପାଇ ଧଉଳି ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦେବେନ୍ଦ୍ରଙ୍କୁ ଥାନା ଗାଡ଼ିରେ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲକୁ ନେଇଯାଇଥିଲା । ଦେବେନ୍ଦ୍ରଙ୍କ ଚେତା ଫେରି ଆସିଥିବା ବେଳେ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଯିଥିବା ସୂଚନା ମିଳିଛି ।

ପ୍ରାପ୍ତ ସୂଚନା ମୁତାବକ ଗତକାଲି ମୟୂରଭଂଜରୁ ଏକ ଘରୋଇ ବସରେ ୫୫ ଜଣ ଲୋକ ପୁରୀ, କୋଣାର୍କ ଓ ଧଉଳି ବୁଲିବାକୁ ଆସିଥିଲେ । ଦେବେନ୍ଦ୍ର ତାଙ୍କ ପତ୍ନୀ ଓ ପିଲାଙ୍କ ସହ ଆସିଥିଲେ । ଆଜି ସକାଳେ ବସ ଶାନ୍ତିସ୍ତୂପରେ ପହଞ୍ଚିଥିଲା । ଧଉଳି ବୁଲାବୁଲି ସାରି ଭୁବନେଶ୍ବର ଅଭିମୁଖେ ଯାଉଥିଲେ । ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ଦୟାବ୍ରିଜ ଉପରେ ବସ ପହଞ୍ଚିବା ପରେ ଦେବେନ୍ଦ୍ର ପରିସ୍ରା କରିବାକୁ ଯିବ କହି ବସରୁ ତଳକୁ ଓହ୍ଲାଇ ଆସିଥିଲେ । ହେଲେ ପରିସ୍ରା କରିବା ପରିବର୍ତ୍ତେ ହଠାତ ବ୍ରିଜ ବାଡ଼ା ଉପରେ ଚଢ଼ି ତଳକୁ ଡେଇଁପଡ଼ିଥିଲେ ।

ବସ ଭିତରେ ଦେବେନ୍ଦ୍ରଙ୍କୁ ଅପେକ୍ଷା କରିଥିବା ଯାତ୍ରୀମାନେ ଏହା ଦେଖି ଚିତ୍କାର କରିଥିଲେ । ପାଟିଶୁଣି ରାସ୍ତାରେ ଯିବା ଆସିବା କରୁଥିବା ଯାତ୍ରୀମାନଙ୍କର ବ୍ରିଜ ଉପରେ ଭିଡ଼ ଜମିଥିଲା । ଖବର ପାଇ ଧଉଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦେବେନ୍ଦ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ପ୍ରଥମେ ଦେବେନ୍ଦ୍ର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଲୋକମାନେ ଭାବିଥିଲେ । ପରେ ପୁଲିସ ତାଙ୍କ ପରିବାର ଓ ଗ୍ରାମବାସୀମାନଙ୍କୁ ପଚରାଉଚରା କରି ଜାଣିବାକୁ ପାଇଲା, ଦେବେନ୍ଦ୍ରଙ୍କର ସାମାନ୍ୟ ମାନସିକ ବିକୃତି ରହିଛି । ମଝିରେ ମଝିରେ ମୁଣ୍ଡରୋଗ ବାହାରିବା ବେଳେ ସେ ପାଗଳ ଭଳି ଆଚରଣ କରିଥାନ୍ତି । ଆଜି ବସରେ ଥିବା ବେଳେ ରୋଗ ବାହାରିବାରୁ ସେ ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର