ରାୟଗଡ଼ା: ବାହାଘର କାର୍ଡ ଦେବା ବାହାନାରେ ଘରକୁ ଆସି ଲୁଟ୍ ଉଦ୍ୟମ କରିଛନ୍ତି ଲୁଟେରା ଗ୍ୟାଙ୍ଗ୍। ଗୋଟିଏ ପରିବାରର ମାଆ-ଝିଅ-ପୁଅକୁ ଛୁରୀ ମୁନରେ ଘର ଭିତରେ ଅଟକ ରଖି ଲୁଟ୍ କରୁଥିବା ବେଳେ ଚିତ୍କାର ଶୁଣି ପଡୋଶୀ ଲୋକ ଆସିବା ପରେ ଛତ୍ରଭଙ୍ଗ ଦେଇଛନ୍ତି ଲୁଟେରା। ଲୁଟେରାଙ୍କ ଆକ୍ରମଣରେ ରାୟଗଡ଼ା କଲେଜ ରୋଡରେ ରହୁଥିବା ଜଗନ୍ନାଥ ମହାନ୍ତିଙ୍କ ପତ୍ନୀ ଆହତ ହୋଇଛନ୍ତି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଗନ୍ନାଥଙ୍କ ପୁଅ-ଝିଅ। ଅଭିଯୋଗ ପରେ ରାୟଗଡ଼ା ପୁଲିସ୍ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି।
ରାୟଗଡ଼ା ପୁରୁଣା ବସଷ୍ଟାଣ୍ଡରେ ଦୋକାନ କରିଥିବାବ ଜଗନ୍ନାଥ ମହାନ୍ତି ନିଜ ପରିବାର ସହ ରାୟଗଡ଼ା କଲେଜ ରୋଡରେ ରହି ଆସୁଛନ୍ତି। ମଧ୍ୟାହଣ୍ ଭୋଜନ ପରେ ଜଗନ୍ନାଥ ଦୋକାନକୁ ଚାଲିଯିବା ପରେ ଜଣେ ମହିଳାଙ୍କ ସମେତ ୪ ପୁରୁଷ ବାହାଘର କାର୍ଡ ଦେବା ବାହାନାରେ ଜଗନ୍ନାଥଙ୍କ ଘରକୁ ଆସିଥିଲେ। କଲିଂ ବେଲ୍ ଶବ୍ଦ ଶୁଣି ଜଗନ୍ନାଥଙ୍କ ସ୍ତ୍ରୀ କବାଟ ଖୋଲିବା ପରେ ଲୁଟେରା ଗ୍ୟାଙ୍ଗ୍ ସଦସ୍ୟ ନିମନ୍ତ୍ରଣ କାର୍ଡ ଦେବା ସହ ପିଇବା ପାଇଁ ପାଣି ମାଗିଥିଲେ। ଜଗନ୍ନାଥଙ୍କ ସ୍ତ୍ରୀ ପାଣି ଆଣିବାକୁ ଘର ଭିତରକୁ ଯିବା ପରେ ଜଣେ ମହିଳାଙ୍କ ସମେତ ୪ ପୁରୁଷ ଘର ଭିତରେ ପଶି ଆକ୍ରମଣ କରିଥିଲେ। ଜଗନ୍ନାଥଙ୍କ ସ୍ତ୍ରୀଙ୍କ ତଣ୍ଟିରେ ଦୁର୍ବୃତ୍ତମାନେ ଛୁରୀ ଲଗାଇ ଚିତ୍କାର ନ କରିବାକୁ ଭୟଭୀତ କରିଥିଲେ। କିଛି ସମୟ ପରେ ଜଗନ୍ନାଥଙ୍କ ଝିଅକୁ ଦୁର୍ବୃତ୍ତମାନେ ନିଶାଦ୍ରବ୍ୟ ଶୁଙ୍ଘାଇ ଦେଇଥିବା ବେଳେ ପୁଅକୁ ହାତ, ଗୋଡ ବାନ୍ଧି ଖଟରେ ପକାଇ ଦେଇଥିଲେ।
/sambad/media/post_attachments/wp-content/uploads/2022/05/RGD_Loot-1.jpg)
ଏହା ପରେ ଦୁର୍ବୃତ୍ତମାନେ ଲୁଟ୍ ଉଦ୍ୟମ କରୁଥିବା ବେଳେ କୌଣସି ମତେ ଜଗନ୍ନାଥଙ୍କ ଝିଅ ଦୁର୍ବୃତ୍ତଙ୍କ କବଳରୁ ଖସି ଆସି ଚିତ୍କାର କରିଥିଲେ। ଚିତ୍କାର ଶୁଣି ପଡୋଶୀ ଲୋକ ଦୌଡ଼ି ଆସିବା ପରେ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ। ଖବର ପାଇ ଜଗନ୍ନାଥ ଘରେ ପହଞ୍ଚିବା ପରେ ରାୟଗଡ଼ା ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଜଗନ୍ନାଥଙ୍କ ଘରେ ପହଞ୍ଚି ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଜଣେ ମହିଳାଙ୍କ ସମେତ ୪ ଜଣ ଯୁବକ କଲେଜ ରୋଡରେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି। ଦିନ ଦ୍ବି ପହରରେ ଲୁଟେରା ଗ୍ୟାଙ୍ଗ୍ ଘରେ ପଶି ଏପରି କାଣ୍ଡ ଭିଆଇବାକୁ ନେଇ ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି। ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ସୂଚନାଯୋଗ୍ୟ, ଗତ କିଛି ଦିନ ହେଲା ସହରରେ ଚୋରି ବୃଦ୍ଧି ପାଇବାରେ ଲାଗିଛି। ଦିନକ ତଳେ ତୁମ୍ବିଗୁଡ଼ା ଛକରେ ଥିବା ଏକ ସୋ’ ରୁମରେ ଦୁର୍ବୃତ୍ତମାନେ କଳାକନା ବୁଲାଇ ଥିବା ବେଳେ ସପ୍ତାହକ ମଧ୍ୟରେ ୪ ସ୍ଥାନରୁ ଚୋରି କରିବାରେ ସକ୍ଷମ ହୋଇଛନ୍ତି। ଆଜି ବାହାଘର କାର୍ଡ ଦେବା ବାହାନାରେ ଘରେ ପଶି ତିନି ଜଣଙ୍କୁ ବନ୍ଧକୁ ମୁନରେ ଅଟକ ରଖିବା ପୁଲିସ୍ ପାଇଁ ଚ୍ୟାଲେଞ୍ଜ ସଦୃଶ୍ୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/RGD_Loot-2.jpg)