ସୀମା ସିଲ୍‌ କରି ଜଗିଛି ପୁଲିସ!, ପଶ୍ଚିମବଙ୍ଗରୁ ମାଛଗାଡ଼ିରେ ଘରେ ପହଞ୍ଚିଲେ ଯୁବକ

ଚାନ୍ଦିପୁର: ସୀମାରେ କଟକଣା ବଢ଼ାଇ ଦିଆଯିବା ସହ ପୂରା ସିଲ କରାଯାଇଛି। ପଶ୍ଚିମବଙ୍ଗ ପଟୁ ଆସୁଥିବା ସମସ୍ତ ଗାଡ଼ିଗୁଡ଼ିକୁ କଡ଼ାକଡ଼ି ଯାଞ୍ଚ୍‌ କରାଯାଉଛି। କରୋନା ମୁକାବିଲାରେ ବାଲେଶ୍ବର ଜିଲ୍ଲା ପୁଲିସ ଏହିପରି ସତର୍କ ରହିଥିବା ବାହାସ୍ଫୋଟ ମାରୁଥିବାବେଳେ ପଶ୍ଚିମବଙ୍ଗରୁ ପ୍ରବାସୀ ଓଡ଼ିଆ କିପରି ଖସି ଆସୁଛନ୍ତି ତାହା ପ୍ରଶ୍ନ ଉଠାଇଛନ୍ତି ବାଲେଶ୍ବର ଚାନ୍ଦିପୁର ଥାନା ଅଧୀନ ଗୁଡ଼ୁପାହି ବାସିନ୍ଦା।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଦୁଇଦିନ ତଳେ ଚାନ୍ଦିପୁର ଅଞ୍ଚଳରୁ ଏକ ମାଛଗାଡ଼ି ପଶ୍ଚିମବଙ୍ଗ ଯାଇଥିଲା। ଗତକାଲି ପୂର୍ବାହ୍ନରେ ସେହି ଗାଡ଼ିଟି ଚାନ୍ଦିପୁରକୁ ଫେରିଥିବାବେଳେ ସେହି ଗାଡ଼ିରେ ଗୁଡ଼ୁପାହି ଅଞ୍ଚଳର ଜଣେ ୨୦ବର୍ଷର ଫେରିଛନ୍ତି। ପଶ୍ଚିମବଙ୍ଗରେ ରହି ଯୁବକଜଣକ କାମ କରିଆସୁଥିବା ବେଳେ ଲକଡାଉନ ଯୋଗୁଁ ଅଟକି ରହିଥିଲେ।

ତେବେ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ନେଇ କରୋନା ସଂକ୍ରମଣ ଆଶଙ୍କା ରହୁଥିବାରୁ ଯୁବକଜଣଙ୍କୁ ଗାଁଲୋକ ଅଟକାଇ ସଦର ବିଡିଓ, ଗୁଡ଼ୁ ଏଏନ୍‌ଏମ୍‌ ଓ ଏହି ଅଞ୍ଚଳ ଦାୟିତ୍ବରେ ଥିବା ନୋଡାଲ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ। ହେଲେ ସୂଚନା ପାଇ ବି କେହି କିଛି ପଦକ୍ଷେପ ନେଲେନାହିଁ ବୋଲି ଗ୍ର‌ାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପ୍ରତି ପଞ୍ଚାୟତର ସରପଞ୍ଚଙ୍କୁ ଯେପରି କରୋନା ମୁକାବିଲା କାର୍ଯ୍ୟରେ ସାମିଲ କରାଯାଇଛି, ଗୁଡ଼ୁପାହି ପଞ୍ଚାୟତ ସରପଞ୍ଚ ବହିଷ୍କୃତ ହୋଇଥିବାରୁ ସେହି ଦାୟିତ୍ବରେ ଏଠାରେ କେହି ନାହାନ୍ତି। ତେଣୁ ବାଧ୍ୟହୋଇ ଗ୍ରାମବାସୀ ପଶ୍ଚିମବଙ୍ଗ ଫେରନ୍ତା ସମ୍ପୃ୍କ୍ତ ଯୁବକଙ୍କୁ ତାଙ୍କ ଘରଲୋକଙ୍କ ସହ କଥାହୋଇ ଗୁଡ଼ୁପାହି ହାଇସ୍କୁଲରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ରଖିଥିଲେ।

ତେବେ ସଦର ବିଡିଓ ନରେନ୍ଦ୍ର ଖମାରୀଙ୍କୁ ପଚାରିବାରୁ ଏ ସମ୍ପର୍କରେ କେହି ତାଙ୍କୁ ସୂଚନା ଦେଇନାହାନ୍ତି ବୋଲି କହିବା ସହ ଘଟଣା ସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବେ ବୋଲି କହିଥିଲେ। ତେବେ ସୀମାରେ ସୁରକ୍ଷା ଏତେ କଡ଼ାକଡ଼ି କରାଯାଇଥିବା ବେଳେ ପଶ୍ଚିମବଙ୍ଗରୁ କିପରି ପ୍ରବାସୀ ଓଡ଼ିଆ ଫେରୁଛନ୍ତି? ଚାନ୍ଦିପୁର ଗୁଡ଼ୁପାହି ଅଞ୍ଚଳର ଏହି ଯୁବକ କେବଳ ଜଣେ ନା ପ୍ରତିଦିନ ସୀମା ଅତିକ୍ରମ କରି ଏହିପରି ଶହ ଶହ ଓଡ଼ିଆମାନେ ଖସି ଆସିବାରେ ସଫଳ ହେଉଛନ୍ତି ତାହା ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର