ପତ୍ନୀକୁ କିରାସିନି ପକାଇ ହତ୍ୟା ଉଦ୍ୟମ, ରସି ଲଗାଇ ସ୍ୱାମୀର ଆତ୍ମହତ୍ୟା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ଗଉଡସାହିରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ପତ୍ନୀକୁ କିରାସିନି ଢାଳି ସ୍ୱାମୀର ହତ୍ୟା ଉଦ୍ୟମ ଏବଂ ପତ୍ନୀ ମରିଗଲା ଭାବି ସ୍ୱାମୀ ରସିଲଗାଇ ଆତ୍ମହତ୍ୟା କରିବା ଘଟଣା ସଂପୃକ୍ତ ଅଞ୍ଚଳରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗଉଡସାହିର ରବିନ କଟା ଓ ତାଙ୍କ ପତ୍ନୀ ଉର୍ମିଳାଙ୍କର ୨ଟି ଝିଅ ଓ ଗୋଟିଏ ପୁଅ। ଗୋଟିଏ ଝିଅର ବାହାଘର ହୋଇଥିବା ବେଳେ ଘରେ ଅଛନ୍ତି ଗୋଟିଏ ଝିଅ ଓ ଗୋଟିଏ ପୁଅ।

ଅଧିକାଂଶ ସମୟରେ ରବିନ ମଦ୍ୟପାନ କରି ପତ୍ନୀଙ୍କୁ ମାଡପିଟ କରିଥାନ୍ତି। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ତିକ୍ତତା ଦେଖାଯାଇଥାଏ। ଏମିତି କି ପତ୍ନୀଙ୍କୁ ମାଡପିଟ କରିବା ଓ ନିଜ ଘରେ ନିଆଁ ଲଗାଇବା ଭଳି ଘଟଣା ଘଟାଇ ରବିନ ଆଗରୁ ଗିରଫ ହୋଇଛନ୍ତି। ନିକଟରେ ସେ ଜାମିନରେ ଆସିବା ପରେ ପୁଣି ମଦ୍ୟପାନ କରି ମାଡପିଟ କରିବା ଆରମ୍ଭ କରି ଦେଇଥିଲେ। ଏହାକୁ ନେଇ ମଙ୍ଗଳବାର ରାତି ରବିନ ଓ ଉର୍ମିଳାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ରବିନ ଉର୍ମିଳାଙ୍କ ଉପରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଉର୍ମିଳାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏଥିରେ ଉର୍ମିଳାଙ୍କ କାଳେ ମୁତ୍ୟୁ ହୋଇଯିବ ଭୟରେ ରବିନ ବି ବେକରେ ରସି ଲଗାଇ ଆତ୍ମହତ୍ୟା କରି ଦେଇଥିଲେ।

ମୃତଦେହକୁ ପରିବାର ଲୋକ ଓ ସମ୍ପର୍କୀୟ ତରବରିଆ ଭାବେ ପୁଲିସକୁ ନ ଜଣାଇ ପୋଡି ଦେଇଥିଲେ। ଏ ନେଇ ପୁଲିସ ପାଖରେ ଖବର ଅଛି। ହେଲେ କେହି ଅଭିଯୋଗ କରି ନଥିବାରୁ ପୁଲିସ ଜାଣି ସୁଦ୍ଧା କିଛି କାର୍ଯ୍ୟାନୁଷ୍ଠାନ ନେଇ ପାରୁ ନାହିଁ। ପାରିବାରିକ କଳହକୁ ନେଇ ଘଟିଥିବା ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର