କରୋନା କାଳରେ ବନ୍ଦ ହୋଇଗଲା ବ୍ୟବସାୟ, ମାନସିକ ଚାପରେ ଆତ୍ମହତ୍ୟା କଲେ ଯୁବକ!

ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ବଇଁଚୁଆ ବିଲସାହି ଗ୍ରାମରଯୁବ ବ୍ୟବସାୟୀ ବେକରେ ରଶିବାନ୍ଧି ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ ଉକ୍ତ ଗ୍ରାମର ଯୁଧିଷ୍ଟିର ସାହୁଙ୍କ ବଡ଼ପୁଅ ଶତ୍ରୁଘ୍ନ ସାହୁ  (୩୫) । ଆଜି ସକାଳୁ ବୁଲିବାକୁ ଯାଇଥିବା କିଛି ଲୋକ ଶତ୍ରୁଘ୍ନ ରାସ୍ତାକଡ଼ରେ ଝୁଲୁଥିବା ଦେଖି ଥାନାକୁ ଫୋନ କରି ଜଣାଇଥିଲେ। ଖବର ପାଇ ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶତ୍ରୁଘ୍ନଙ୍କୁ ତଳକୁ ଓହ୍ଲାଇ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ଅପରାହ୍ନରେ ଶବ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଶତ୍ରୁଘ୍ନ ଆର୍ଥିକ ଅନଟନ ଯୋଗୁ ମାନସିକ ଭାରସାମ୍ୟ ହରାଇ ଏଭଳି ଚରମ ପଦକ୍ଷେପ ନେଇଥିବା ତାଙ୍କ ସାନଭାଇ ସୁନାକର ସାହୁ ଏତଲାରେ ଦର୍ଶାଇଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଶତ୍ରୁଘ୍ନ ୪ ବର୍ଷ ତଳେ ବିବାହ କରିଥିଲେ । କଂସାବାସନ ଓ ଜରିବ୍ୟାଗ ବ୍ୟବସାୟ କରି ପରିବାର ଗୁଜୁରାଣ ମେଣ୍ଟାଉଥିଲେ । ହେଲେ କରୋନା ମହାମାରୀ ପାଇଁ ବ୍ୟବସାୟ ବନ୍ଦ ହୋଇଯିବା ପରେ ଚଳିବା ପାଇଁ ଟଙ୍କା  ହାତଉଧାର କରିଥିଲେ ।

ଗତକାଲି କୌଣସି କଥାକୁ କେନ୍ଦ୍ର କରି ପରିବାରରେ ଝଗଡ଼ା ହୋଇଥିଲା । ଏହାପରଠାରୁ ସେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର ପତ୍ତା ମିଳିନଥିଲା । ହେଲେ ଆଜି ଭୋର ସମୟରେ ନଦୀପଠା ଆମ୍ବତୋଟା ଭିତରେ ଶବ ଝୁଲୁଥିବା ଲୋକେ ଦେଖି ବାଲିଅନ୍ତା ଥାନାକୁ ଫୋନ କରି ଜଣାଇଥିଲେ । ନିକଟରେ ତାଙ୍କର ଲୁନାଗାଡ଼ି ଥୁଆ ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରରେ ପହଞ୍ଚି ମୃତଦେହ ଜବତ କରି ହସ୍ପିଟାଲକୁ ପଠାଇଥିଲା ।

ସମ୍ବନ୍ଧିତ ଖବର