ଅଟ୍ରି- ଅରୁଗୁଳ ବିଦ୍ୟୁତ୍ ସଂଯୋଗ, କାମ ଶେଷ ପରେ କ୍ଷତିଗ୍ରସ୍ତଙ୍କୁ ଠକିଦେଲେ

ଖୋର୍ଦ୍ଧା: ଜଟଣୀଠାରେ ଥିବା ଆଇଆଇଟି ଅରୁଗୁଳ ଓ ଅଟ୍ରି ଉଚ୍ଚ୍ ଶକ୍ତିସମ୍ପନ୍ନ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ଶେଷ ହେବା ପରେ ବିଦ୍ୟୁତ୍ ପୋଲ ସ୍ଥାପନରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ସରକାର ଠକି ଦେଇଛନ୍ତି । ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାନ୍ତି । ଆଜି ଏନେଇ ଜିଲ୍ଲାପାଳଙ୍କ ଠାରେ କ୍ଷତିଗ୍ରସ୍ତ ଅଭିଯୋଗ କରିଛନ୍ତି । ସୋମନାଥପୁର ଦଧିମାଛଗାଡ଼ିଆର ନିରଂଜନ ପ୍ରଧାନଙ୍କ ଅଭିଯୋଗ ଅନୁସାରେ ୨ ବର୍ଷ ପୂର୍ବେ ଓପିଟିସିଏଲ୍ ଦ୍ୱାରା ଅରୁଗୁଳ ଆଇଆଇଟିକୁ ୧୩୨ କେଭି ବିଦ୍ୟୁତ୍ ସଂଯୋଗ ନିମନ୍ତେ ତାଙ୍କ ଜମିରେ ପୋଲ ସ୍ଥାପନ କରିବାକୁ ଓପିଟିସିଏଲ୍, ତତ୍କାଳୀନ ତହସିଲଦାର ତାଙ୍କ ସହ ଯୋଗାଯୋଗ କରିଥିଲେ ।

ଏହି ବାବଦକୁ ୫୦ହଜାର ଟଙ୍କା କ୍ଷତିପୂରଣ ଓ ବିଦ୍ୟୁତ୍ ପୋଲର ସୁରକ୍ଷା ପାଇଁ ସିକ୍ୟୁରିଟି ଗାର୍ଡ଼ ଭାବେ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ଅନୁସାରେ ତାଙ୍କୁ ଉଭୟ ପ୍ରଦାନ କରାଯାଇଥିଲା । ବର୍ତମାନ ବିଦ୍ୟୁତ୍ ସଂଯୋଗ ସଂପୂର୍ଣ୍ଣ ହୋଇଯିବା ପରେ ୩ ମାସ ପୂର୍ବେ ତାଙ୍କୁ କାର୍ଯ୍ୟରୁ ଛଟେଇ କରାଯାଇଛି । ଏନେଇ ସେ ଉପଜିଲ୍ଲାପାଳ, ଓପିଟିିସିଏଲ୍ ଓ ଆଇଆଇଟି କର୍ତୃପକ୍ଷଙ୍କୁ ସାକ୍ଷାତ କରିଥିଲେ ତେବେ ସେମାନେ ଏଦିଗରେ କୌଣସି ସହାୟତା କରିପାରିବୁ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି । ବିଦ୍ୟୁତ୍ ପୋଲ ଯୋଗୁଁ ତାଙ୍କର ୩ ଏକର ଜମି ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ।

ଏନେଇ ଅଧିକ କ୍ଷତିପୂରଣ ଓ ସ୍ଥାୟୀ ନିଯୁକ୍ତି ପାଇଁ ସେ ଦାବି କରିଥିଲେ । ପରେ ଜିଲ୍ଲା ପ୍ରଶାସନ ତାଙ୍କୁ ବୁଝାଶୁଝା କରି ପ୍ରତିଶ୍ରୁତି ପାଳନ କରିବେ ବୋଲି କହିବାପରେ ଜମି ଛାଡ଼ିଥିଲେ । ତେବେ ବର୍ତମାନ ସଂଯୋଗ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବା ପରେ ତାଙ୍କୁ ନିଯୁକ୍ତି ଦେଇଥିବା ସେକୁ୍ୟରିଟି ସଂସ୍ଥାର ଚୁକ୍ତି ଶେଷ ହୋଇଯାଇଥିବା ଦର୍ଶାଇ କାର୍ଯ୍ୟରୁ ଛଟେଇ କରାଯାଇଛି । ଜମି ହିଁ ତାଙ୍କ ପରିବାର ଏକମାତ୍ର ଜୀବିକା ଉପାର୍ଜନର ପନ୍ଥା ଥିବା ବେଳେ କରୋନା ମହାମାରୀ ସମୟରେ ଚାକିରି ଛଟେଇ ଯୋଗୁଁ ସେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସମ୍ବନ୍ଧିତ ଖବର