ଦୋକାନରେ ମାଛ ବିକୁଥିଲେ, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ମୃତ୍ୟୁ ଏମିତି ବି ଆସିଥାଏ, ଯାହାକୁ କି କଳ୍ପନା କରିବା ମଧ୍ୟ ସହଜ ନୁହେଁ। ଦୋକାନରେ ଅନ୍ୟ ଦିନ ଭଳି ଯୁବକ ଜଣକ ମାଛ ବିକ୍ରି କରୁଥିଲେ। କିନ୍ତୁ ଅନ୍ୟ ଦିନ ଭଳି ଭାଗ୍ୟ ଆଜି ଟିକେ ଅଲଗା ଥିଲା। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମାଛ ବିକାଳି ଯୁବକଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଆମ୍ବେଦକର ଛକ ଠାରେ ଆଜି ଏହି ଅଭାବନୀୟ ଅଘଟଣ ଘଟିଛି। ମୃତ ଯୁବକ ଜଣକ ହେଲେ ମୁକେଶ ଯୁଗ୍ନିଆ (୨୫)।

ସୂଚନା ମତେ, ବଙ୍ଗୋମୁଣ୍ଡା ବସ୍ତିପଡ଼ାର ମକୁନ୍ଦ ଯୁଗ୍ନିଆଙ୍କ ପୁଅ ମୁକେଶ ଯୁଗ୍ନିଆ ଆମ୍ବେଦକର ଛକ ଠାରେ ସବୁ ଦିନ ପରି ଆଜି ମଧ୍ୟ ମାଛ ଦୋକାନ ଖୋଲିଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ସେ ବିଦ୍ୟୁତ ତାର ସହିତ ଲଟକି ଯାଇଥିଲେ। ପରେ ତାଙ୍କୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଯୁବକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ବଙ୍ଗୋମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ  ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏ ନେଇ ବଙ୍ଗୋମୁଣ୍ଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲିଛି । ବଡ଼ପୁଅର ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକ ବେସାହାରା ହୋଇ ଯାଇଛନ୍ତି । ତୁରନ୍ତ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

ସମ୍ବନ୍ଧିତ ଖବର