ଇବ ନଦୀର ଦର୍ଶନୀୟ ସ୍ଥାନ କନାକୁଣ୍ଡରେ ବୁଡ଼ି ଯୁବକ ମୃତ

ସୁନ୍ଦରଗଡ଼, : ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଘୋଘର ଗାଁ ନିକଟ ଇବ ନଦୀର ଦର୍ଶନୀୟ ସ୍ଥାନ କନାକୁଣ୍ଡ ଆଜି ପୁଣି ଜଣେ ଯୁବକଙ୍କ ମୁଣ୍ଡ ନେଇଛି । ପାଣିରେ ବୁଡି ବିହାରର ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ  ଝାରସୁଗୁଡା ଭୂଷଣ ଷ୍ଟିଲ ପ୍ଲାଣ୍ଟରେ କାମ କରୁଥିଲେ । ସେ  ଅନ୍ୟ ଦୁଇ ସାଙ୍ଗଙ୍କ ସହିତ ଦୁଇଟି ବାଇକରେ କନାକୁଣ୍ଡ ବୁଲିବା ପାଇଁ ଆସିଥିଲେ । ଅନ୍ୟ ଦୁଇ ସାଙ୍ଗ ପଥରରେ ପାରି ହୋଇ ଆରପଟକୁ  ଚାଲିଗଲା ପରେ ଏହି ଯୁବକ ପାଣି ରେ ଓହ୍ଲାଇ ଆର ପଟକୁ ଯିବାପାଇଁ ଚେଷ୍ଟା କରି ପାଣିରେ ବୁଡି ଯାଇଥିଲେ । ସେ ପହଁରା ଜାଣି ନଥିଲେ କିନ୍ତୁ ଯେଉଁ ସ୍ଥାନରେ ସେ ବୁଡିଲେ ସେଠାରେ ପାଣି ମାତ୍ର ୩ଫୁଟ ରହିଛି ତଥାପି ସେ ଭୟରେ ବୁଡି ଯାଇଥିବା ସନ୍ଦେହ କରାଯାଉଛି । ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ସୂଚନାଯୋଗ୍ୟ, ଗତ ବର୍ଷ ଜାନୁଆରୀ ମାସରେ ସେହି ସ୍ଥାନରେ ପିକନିକ କରିବା ପାଇଁ ଆସି ରାଜଗାଙ୍ଗପୁର ଅଞ୍ଚଳର ଜଣେ ଯୁବତୀଙ୍କର ଗୋଡ଼ ଖସି ପାଣିରେ ବୁଡ଼ି ଯାଇଥିଲେ ।  ଏହି ଘଟଣା ରାଜ୍ୟବ୍ୟାପୀ ଚହଳ ପକାଇଥିଲା । ତାଙ୍କର ମୃତ୍ୟୁ ବେଳର ହୃଦୟବିଦାରକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ।

ସମ୍ବନ୍ଧିତ ଖବର