ବ୍ୟାସନଗର/ବିଂଝାରପୁର : ଯାଜପୁରରୋଡ ରେଳ ଷ୍ଟେସନର କିଛି ଦୂରରେ ତଥା ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହରର ଅହମ୍ମଦନଗର ନିକଟ ରେଳ ଧାରଣାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ମଙ୍ଗଳପୁର ଥାନା ଅନ୍ତର୍ଗତ ଅଳକୁଣ୍ଡ ଗ୍ରାମର ମଙ୍ଗୁଳି ବେହେରାଙ୍କ ପୁଅ ଅଜୟ(୩୩)। ଖବର ପାଇ ଜିଆରପି ଅଧିକାରୀ ପପୁ ନାୟକ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ତଦନ୍ତ ଜାରି ରଖିଛନ୍ତି।
ଷ୍ଟେସନ ମାଷ୍ଟର ସମୀର ସ୍ଵାଇଁଙ୍କ ଅଭିଯୋଗ କ୍ରମେ ଯାଜପୁରରୋଡ ଜିଆରପି ୩୦/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ଅଜୟଙ୍କ ହତ୍ୟା କରାଯାଇଛି ବୋଲି ତାଙ୍କ ଭାଇ ବିପିନ ବେହେରା ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଅଜୟଙ୍କର କୋରେଇ ଥାନା ଅନ୍ତର୍ଗତ ସାନପାଟୁଳି ଅଞ୍ଚଳରେ ବିବାହ ଠିକ୍ ହୋଇଥିଲା। ଆସନ୍ତା ୫ ତାରିଖରେ ବାହାଘର ପାଇଁ ଲଗ୍ନ ହୋଇଥିଲା। ବାହାଘର ପୋଷାକ କିଣିବାକୁ ସେ ଗତକାଲି ମଧ୍ୟାହ୍ନରେ ଯାଜପୁରରୋଡ ଯାଉଥିବା କହି ଘରୁ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଫୋନ୍ କରିଥିଲେ। ହେଲେ ଫୋନ୍ ଯୋଗାଯୋଗ ସମ୍ଭବ ହୋଇନଥିଲା। ଆଜି ସକାଳେ ରେଳଧାରଣାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/24.jpg)