କୁଶଭଦ୍ରା ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ହତ୍ୟା ଅଭିଯୋଗ ଆଣିଲେ ଭାଇ, ସ୍ବାମୀ ଅଟକ

ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ କୁଣଭବ୍ରା ନଦୀରୁ ଗତକାଲି ଉଦ୍ଧାର ହୋଇଥିବା ମହିଳାଙ୍କ ପରିଚୟ ମିଳିଛି । ମୃତକ ହେଲେ ବାଲିଅନ୍ତା ଥାନା ଅଧୀନ ବାଲିକାନ୍ଥିଆ ଗ୍ରାମର ରମଣିରଂଜନ ମହାନ୍ତିଙ୍କ ପତ୍ନୀ ନିର୍ମଳା ମହାନ୍ତି (୪୫) । ମୃତଦେହ ଚିହ୍ନଟ ପରେ ମାମଲା ଭିନ୍ନ ମୋଡ଼ ନେଇଛି । ନିର୍ମଳାଙ୍କୁ ସ୍ବାମୀ ରମଣିରଂଜନ ମାଡ଼ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ନିର୍ମଳାଙ୍କ ବଡ଼ଭାଇ ପ୍ରଫୁଲ ଚନ୍ଦ୍ର ମହାନ୍ତି ଏନେଇ ଆଜି ସଂଧ୍ୟାରେ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ସ୍ବାମୀ ରମଣିରଂଜନଙ୍କୁ ଗିରଫ କରି ତଦନ୍ତ ଚଳାଇଛି । ଅଭିଯୋଗ ମୁତାବକ ବାଲିପାଟଣା ଥାନା ଅଧୀନ ଝିଣ୍ଟି ମହାନ୍ତି ସାହିର ସ୍ବର୍ଗତଃ ଭ୍ରମରବର ମହାନ୍ତିଙ୍କ ଝିଅ ନିର୍ମଳା ୨୦ ବର୍ଷ ପୂର୍ବେ ବାଲିଅନ୍ତା ଥାନା ଅଧୀନ ବାଲିକାନ୍ଥିଆ ଗ୍ରାମର ରମଣିରଂଜନଙ୍କୁ ବିବାହ କରିଥିଲେ । ତାଙ୍କର ୧୬ ବର୍ଷର ଗୋଟିଏ ପୁଅ ଓ ଦୁଇଟି ଛୋଟ ଝିଅ ଅଛନ୍ତି । ରମଣିରଂଜନ ଇଲେକ୍ଟ୍ରି କାମ କରନ୍ତି । ଆର୍ଥିକ ଅନଟନ ଯୋଗୁ ଅଧିକାଂଶ ସମୟରେ ଉଭୟ ପତି ପତ୍ନୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ଇଲେକ୍ଟ୍ରି କାମରୁ ଭଲ ରୋଜଗାର ନହେବାରୁ କାମ ବନ୍ଦ କରି ପରିବା ବ୍ୟବସାୟ କରିଥିଲେ ।

ବ୍ୟବସାୟ ବଢ଼ାଇବା ସେ ଆଉ ଲକ୍ଷେ ଟଙ୍କା ଯୌତୁକ ଆଣିବାକୁ ଦାବି କରିଥିଲେ । ହେଲେ ନିର୍ମଳା ଏତେଟଙ୍କା ବାପଘରୁ ଆଣିବା ପାଇଁ ଅସହାୟତା ପ୍ରକାଶ କରିଥିଲେ । ଟଙ୍କା ନଆଣିବାରୁ  ନିର୍ମଳାଙ୍କ ଉପରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଆରମ୍ଭ ହୋଇଯାଇଥିଲା । ନିର୍ଯ୍ୟାତନା ଅସହ୍ୟ ହେବାରୁ ନିର୍ମଳା ବର୍ଷକ ପୂର୍ବେ ବାପ ଘରକୁ ପଳାଇ ଆସିଥିଲେ । ଏବଂ ଭାଇଙ୍କ ଠାରୁ ୫୦ ହଜାର ଟଙ୍କା ନେଇ ରମଣିରଂଜନଙ୍କୁ ଦେଇଥିଲେ । ହେଲେ ୫୦ ହଜାର ଟଙ୍କା ପାଇବା ସତ୍ବେ ନିର୍ମଳାଙ୍କ ଉପରେ ରମଣିରଂଜନଙ୍କ ନିର୍ଯ୍ୟାତନ କମିନଥିଲା । ସେ ବାକି ୫୦ ହଜାର ଟଙ୍କା  ପାଇଁ ପୂର୍ବଭଳି  ନିର୍ମଳାଙ୍କୁ ମାରପିଟ କରିଥିଲେ । ଶେଷରେ ନିର୍ମଳା ନିରାଶ ହୋଇ ପୁଅ ସହ ଘରୁ ଲୁଚି ପଳାଇ ଆସି ଯଶୁଆପୁର ଗ୍ରାମରେ  ଭିଣୋଇଙ୍କ ଘରେ ରହୁଥିଲେ । ନିର୍ମଳାଙ୍କୁ ଖୋଜାଖୋଜି କରି ରମଣିରଂଜନ  କିଛି ଭଦ୍ର ଲୋକଙ୍କ ସହ ଯଶୁଆପୁର ଗ୍ରାମରେ ପହଞ୍ଚି ତାଙ୍କୁ ଘରକୁ ନେଇଯାଇଥିଲେ ।

ଏପଟେ କରୋନା ଲକଡାଉନ ପାଇଁ ରମଣିରଂଜନ ଘରେ ବସି ରହି ପାଖରେ ଥିବା ସବୁ ଟଙ୍କା ଖର୍ଚ୍ଚ କରି ଦେଇଥିଲେ । ଏହାପରେ ପୂର୍ବଭଳି ପୁଣି ବାକି ୫୦ ହଜାର ଟଙ୍କା ପାଇଁ ନିର୍ମଳାଙ୍କୁ ମାରଧର କରିଥିଲେ । ପ୍ରଫୁଲଙ୍କ କହିବା ଅନୁଯାୟୀ ସୁକ୍ରବାର ଦିନ ରାତିରେ ରମଣିରଂଜନ ନିର୍ମଳାଙ୍କୁ ନିସ୍ତୁକ ମାଡ଼ମାରିଥିଲେ । ନିର୍ମଳା ପଡ଼ୋଶୀମାନଙ୍କୁ ଚିତ୍କାର କରି ଡାକ ପକାଇଥିଲେ । ହେଲେ ତାଙ୍କୁ ଉଦ୍ଧାର କରିବା ପାଇଁ  କେହି ଯାଇନଥିଲେ । ସେ ନିସ୍ତେଜ ହୋଇଯିବା ପରେ ମରିଗଲା ଭାବି ରାତାରାତି କୁଶଭଦ୍ରାରେ ଫିଙ୍ଗି ଦେଇଥିଲେ  ଚର୍ଚ୍ଚ ହେଉଛି । ଗତକାଲି କୁଶଭଦ୍ରାରୁ ଶବ ଉଦ୍ଧାର ହେବା ପରେ ଘଟଣା ସଂପର୍କରେ ପଡୋଶୀମାନେ ପ୍ରଫୁଲଙ୍କୁ ଫୋନ କରି ଜଣାଇଥିଲେ । ଆଜି ସକାଳେ ତାଙ୍କ ପରିବାର ଲୋକ କ୍ୟାପିଟାଲ ହସ୍ପିଟାଲକୁ ଯାଇ ତାଙ୍କର ମୃତଦେହ ଚିହ୍ନଟ କରିଥିଲେ । ବାଲିଅନ୍ତା ଥାନାରେ ଏନେଇ ଅଭିଯୋଗ ହେବା ପରେ ପୁଲିସ ରମଣିରଂଜନଙ୍କ ଘରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଶେଷ ଖବର ମୁତାବକ ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟ ଅପେକ୍ଷାରେ ରହିଛି ।

ସମ୍ବନ୍ଧିତ ଖବର