ବାଇକ ଧକ୍କାରେ ଯୁବକଙ୍କ ମୃତ୍ୟୁ, ବାପ ପୁଅ ଆହତ

ବନ୍ତଳା :ଅନୁଗୁଳ ବ୍ଲକ ମାଣପୁର ଗ୍ରାମ ନିକଟରେ ଆଜି ସନ୍ଧ୍ୟାରେ ବାଇକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ବାପ ଓ ପୁଅ ଆହତ ହୋଇଛନ୍ତି ।

ପ୍ରାପ୍ତସୂଚନା ଅନୁଯାୟୀ ବନ୍ତଳା ଥାନା କରଡାସିଙ୍ଗ ଗ୍ରାମର କାହ୍ନୁ ଗୋଛାୟତ (୨୪) ପ୍ରତିଦିନ ଭଳି ଆଜି ମଧ୍ୟ ବନ୍ତଳା ଅଞ୍ଚଳକୁ ଦିନ ମଜୁରିଆ ଭାବରେ କାର୍ଯ୍ୟ କରିବାକୁ ଆସିଥିଲେ । ତେବେ କାମ ସାରି ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ସେ ବନ୍ତଳାରୁ ନିଜ ଗ୍ରାମକୁ ଚାଲିଚାଲି ଫେରୁଥିଲେ।ଏତିକି ବେଳେ ପୋକତୁଙ୍ଗା ଗ୍ରାମରେ ରହୁଥିବା ଟିକରପଡା ଗ୍ରାମର ମାନସ ବେହେରା (୩୧)ଏକ ବାଇକ (ଓଡ଼ି-୦୨-ଏଆର-୯୮୯୨) ଯୋଗେ ତାଙ୍କ ୮ବର୍ଷର ପୁଅ ସୋମଦେବ ବେହେରା ଙ୍କୁ ନେଇ ବନ୍ତଳା ରୁ ପୋକତୁଙ୍ଗା ଗ୍ରାମକୁ ଫେରୁଥିଲେ ।  ମାତ୍ର ଅସାବଧାନତା ଯୋଗୁଁ ମାଣପୁର ଗ୍ରାମ ନିକଟରେ ବାଇକଟି ଶ୍ରମିକ କାହ୍ନାଙ୍କୁ  ପଛ ପଟରୁ ଜୋରରେ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ କାହ୍ନାଙ୍କ ପ୍ରାଣବାୟୁ ଉଡିଯାଇଥିଲା। ସେଠାରେ ବାଇକ ଚାଳକ ଓ ତାଙ୍କ ୮ ବର୍ଷର ପୁଅ ଆହତ ହୋଇ ରାସ୍ତାରେ ପଡ଼ିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ବନ୍ତଳା ପୁଲିସ ସେମାନଙ୍କୁ ଉଦ୍ଧାର କରି ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ପୁଲିସ ଦୁର୍ଘଟଣା ଘଟାଇଥିବା ବାଇକକୁ ଜବତ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର