କେସିଙ୍ଗା: ବସ ଧକ୍କାରେ ବୃଦ୍ଧ ମୃତ, ରାସ୍ତା ଅବରୋଧ

କେସିଙ୍ଗା: ଆଜି ସକାଳେ ଭୁବନେଶ୍ୱରରୁ ମୁଖିଗୁଡ଼ା ଯାଉଥିବା ଚକାଡୋଳା ନାମକ ଏକ ଘରୋଇ ବସ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଚାଞ୍ଚେର ଛକରେ ଜଣେ ବୟସ୍କ ଲୋକଙ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟଇଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତିଜଣକ ହେଉଛନ୍ତି ରେଙ୍ଗଟା ହରିଜନ। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ରାସ୍ତା ଉପରେ ଶବ ରଖି ଓ ଦୁର୍ଘଟଣା ଘଟାଇଥିବା ବସକୁ ଅଟକାଇ ସ୍ଥାନୀୟ ଲୋକେ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ରଖିଛନ୍ତି। ଫଳରେ ବୋରିଗୁମ୍ମା-ବରଗଡ଼ ମଧ୍ୟରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।


ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରେଙ୍ଗଟା ହରିଜନ ସକାଳେ ଶୌଚ ହେବା ପାଇଁ ରାଜପଥ କଡ଼ ଦେଇ ଯାଉଥିିବା ବେଳେ ତାଙ୍କୁ ଘରୋଇ ବସଟି ପଛପଟୁ ଧକ୍କା ଦେଇଥିିଲା। ଫଳରେ ଘଟଣାସ୍ଥଳରେ ହିଁ ରେଙ୍ଗଟାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ରେଞ୍ଚର ଗାଁର ଲୋକେ ସେଠାରେ ରୁଣ୍ଡ ହୋଇ ରାସ୍ତା ଅବରୋଧ କରିଛନ୍ତି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଲୋକଙ୍କୁ ବୁଝାଶୁଝା କରିଛନ୍ତି। ତେବେ ବସ ମାଲିକ ଓ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ମୃତ ରେଙ୍ଗଟାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଘୋଷଣା କଲେ ସେମାନେ ଆନ୍ଦୋଳନରୁ ଓହରିବେ ବୋଲି ଲୋକେ ଅଡ଼ି ବସିଛନ୍ତି।

ସମ୍ବନ୍ଧିତ ଖବର