ଆନନ୍ଦପୁର: କାନ୍ଥ ଭୁଶୁଡ଼ି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ଆନନ୍ଦପୁର: ଗତକାଲି ରାତିରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁପଲ୍ଲୀ ପଞ୍ଚାୟତର ବେଉସାହି ଗ୍ରାମରେ ଏକ ଅଭାବଦନୀୟ ଘଟଣା ଘଟିଛି। ଘରେ ଖାଇ ପିଇ ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ପତ୍ନୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଉଭୟ ସ୍ୱାମୀସ୍ତ୍ରୀଙ୍କୁ ଉଦ୍ଧାର କରାଯାଇ ପରିବାର ଲୋକେ ଆନନ୍ଦପୁର ଡ଼ାକ୍ତରଖାନାକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ସ୍ୱାମୀଙ୍କୁ ମୃତ ଘୋଷଣା କରିଥିବା ବେଳେ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁପଲ୍ଲୀ ପଞ୍ଚାୟତର ବେଉସାହି ଗ୍ରାମର ଭାଷ୍କର ଦେହୁରୀ(୭୦ ବର୍ଷ) ଓ ତାଙ୍କ ପତ୍ନୀ ତିଳୋତ୍ତମା ଦେହୁରୀ( ୬୨ ବର୍ଷ) ଘରେ ଖାଇ ପିଇ ଶୋଇଥିଲେ। ଗତକାଲି ଠାରୁ ଅଞ୍ଚଳରେ ଜାରି ରହିଥିବା ଲଗାଣ ବର୍ଷା ଯୋଗୁ ହଠାତ କାନ୍ଥ ଭୁଶୁଡ଼ି ସେମାନଙ୍କ ଉପରେ ପଡ଼ି ଯାଇଥିଲା। କାନ୍ଥ ତଳେ ଚାପି ହୋଇ ଭାଷ୍କରଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର