ଜହ୍ନାପଙ୍କ: ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ସାହାଜପାଲ୍ ନିକଟ କନକପୁର ଛକରେ ବୁଧବାର ସନ୍ଧ୍ୟାରେ ବାଇକ ଧକ୍କାରେ ଗୁରୁତର ଆହତ ସିଦ୍ଧପୁର ଗ୍ରାମର ଗୁରୁ ପ୍ରସାଦ ସାହୁଙ୍କ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର ବେଳେ ବାଟରେ ମୃତ୍ୟୁ ହୋଇ ଯାଇଥିବା ଜଣାପଡିଛି l
Advertisment
ଘଟଣାରୁ ପ୍ରକାଶ  ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର  ଜାତୀୟ ରାଜପଥ ସାହାଜପାଲ୍ ନିକଟ କନକପୁର ଛକରେ ଚାଲି ଚାଲି ଯାଉଥିବା ନିକଟସ୍ଥ ସିଦ୍ଧପୁର ଗ୍ରାମର ଗୁରୁ ପ୍ରସାଦ ସାହୁ (୩୫)ଙ୍କୁ ଏକ ବାଇକ (ଓଡି୨୭ଏ-୬୮୯୮) ଧକ୍କା ଦେଇଥିଲା। ଖବର୍ ପାଇ ବାଉଁଶୁଣି ଦମକଳ ବାହିନୀ ପହଂଚି ବାଉଁଶୁଣି ଡାକ୍ତରଖାନା ନେଇଥିଲା। ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପରିବାର ବର୍ଗ ଆମ୍ବୁଲାନସ୍ ଯୋଗେ ତାଙ୍କୁ ବୁର୍ଲା ନେଉଥିବା ବେଳେ ବାଟରେ ସେ ମୃତ୍ୟୁବରଣ କରିଥିଲେ। ମୃତ ଗୁରୁ ପ୍ରସାଦ ସାହୁ ଜଣେ ଗରିବ ଲୋକ ଥିଲେ ଓ ବାଉଁଶୁଣୀ ଛକରେ ଥିବା ଲାଲା ହୋଟେଲରେ ଜଳଖିଆ ମିସ୍ତ୍ରୀ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ। ବୁଧବାର ହୋଟେଲ କାମ ସାରି ବସ୍ ଯୋଗେ ସାହାଜପାଲ୍ ଯାଇ ସେଠାରୁ ଚାଲି ଚାଲି ନିଜ ଗ୍ରାମ ସିଦ୍ଧପୁରକୁ ଯାଉଥିବା ବେଳେ କନକପୁର ଛକରେ ବାଇକ ଧକ୍କାରେ ଗୁରୁତର ଆହତ ହୋଇଥିଲେ। ସେ ପରିବାରର ଜଣେ ମାତ୍ର ଉପାର୍ଜନ କ୍ଷମ ବ୍ୟକ୍ତି ଥିବାରୁ ତାଙ୍କର ମୃତ୍ୟୁରେ ପରିବାର ଲୋକେ ସମ୍ପୁର୍ଣ୍ଣ ଭାଙ୍ଗି ପଡିଛନ୍ତି । ତେଣୁ ତାଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।