ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅର୍ନ୍ତଗତ ଚଢେଇପାହାଡି ଓ ପଡୋଶୀ ଝାଡଖଣ୍ଡ ରାଜ୍ୟ ଡୁମୁରିଆ ଥାନା ସୀମାର ବାରୁଣିଆ ଘାଟି ରାସ୍ତାରେ ଭାରସ୍ୟାମ ହରାଇ ୨୦୦ ଫୁଟ୍ ତଳକୁ ଖସି ପଡିବାରୁ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ବଡାଦର ଗ୍ରାମର ମଙ୍ଗଲ ସର୍ଦ୍ଧାର(୬୦) ଓ ରବି ମହାନ୍ତ (୩୫) ଡୁମୁରିଆ ଥାନା ଅର୍ନ୍ତଗତ ବାରୁଣିଆ ଗ୍ରାମକୁ ଯାଉଥିଲେ । ବିପଦ ସଂକୁଳ ଅବସ୍ଥାରେ ଥିବା ଘାଟି ରାସ୍ତାରେ ଯାଉଥିବା ସମୟରେ ଭାରସ୍ୟାମ ହରାଇ ୨୦୦ ଫୁଟ୍ ତଳକୁ ଖସିପଡିଥିଲେ । ପ୍ରର୍ତକ୍ଷଦର୍ଶୀମାନେ ତାଙ୍କୁ ବହୁ ଖୋଜାଖୋଜି ପରେ ମଙ୍ଗଳଙ୍କୁ ମୃତ୍ୟୁ ଅବସ୍ଥାରେ ପାଇଥିବା ବେଳେ ରବି ପାହାଡ ତଳ ଏକ ଗଛରେ ଲଟକି ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଗୁରୁତର ରବିକୁ ପ୍ରଥମେ ଗୋରୁମହିଷାଣୀ ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର ଭର୍ତି କରିଥିଲେ। ପରେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଂକଟ୍ଟାପନ୍ନ ହେବାରୁ ତାଙ୍କୁ ବାରିପଦାସ୍ଥିତ ପିଆରଏମ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି ।
ତେବେ ଏ ସମ୍ବନ୍ଧରେ ଗୋରୁମହିଷାଣୀ ଥାନାକୁ ଯୋଗାଯୋଗ କରିବାରୁ ତାହା ଝାଡଖଣ୍ଡ ସୀମାରେ ଘଟିଛି। ଏଣୁ ଝାଡଖଣ୍ଡ ପୁଲିସ ସହିତ ଯୋଗାଯୋଗ କରିବାକୁ କହିଥିଲେ । ଝାଡଖଣ୍ଡର ଡୁମୁରିଆ ଥାନା ଅଧିକାରୀ ବିନୋଦ ଟୁଡୁଙ୍କୁ ଯୋଗାଯୋଗ କରିବାରୁ ପୁଲିସ ଘଟଣାସ୍ଥଳକୁ ପହଂଚିବା ପୂର୍ବରୁ ପରିବାର ଲୋକେ ଶବ ନେଇ ପଳାଇଥିବା ପ୍ରକାଶ କରିଥିଲେ । ଫଳରେ କୌଣସି ଥାନାରେ ମାମଲା ରୁଜୁ ହୋଇନଥିବା ସୂଚନା ମିଳିଛି ।