ଭଞ୍ଜନଗର: କାଜୁଜଙ୍ଗଲରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଜବତ

ଭଞ୍ଜନଗର: ଆଜି ସକାଳେଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଲୁଣିଢ଼ିପା ଗାଁ ନିକଟସ୍ଥ ଏକ କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପୁଲିସ ଜବତ କରିଛି। ମୃତ ଯୁବକଙ୍କ ନାମ ବାଳକୃଷ୍ଣ ସାହି(୩୫ ବର୍ଷ) ଓ ତାଙ୍କ ଘର ଇଟାମାଟି ଚମ୍ପେଇତପୁର ଗ୍ରାମରେ ବୋଲି ଜଣାପଡ଼ିଛି। ଏକାଧିକ ବ୍ୟକ୍ତି ଶ୍ରୀ ସାହୁଙ୍କୁ ପିଟିପିଟି ମାରିଦେଇଥିବା ପାରିପାଶ୍ୱିକ ଅବସ୍ଥାରୁ ଆଶଙ୍କା କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମ୍ପେପଡ଼ା ପଞ୍ଚାୟତର ଲୁଣିଢ଼ିପା ଗାଁ ନିକଟରେ ଥିବା କାଜୁ ଜଙ୍ଗଲକୁ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଯାଇଥିବା ବେଳେ ପାଦଚଲା ରାସ୍ତା କଡ଼ରେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖ୍‌ିବାକୁ ପାଇଥିଲେ। ଏ ନେଇ ସେମାନେ ଗାଁରେ ପ୍ରଚାର କରିବାରୁ ସଙ୍ଗସଙ୍ଗେ ଆଖପାଖ ଅଞ୍ଚଳର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକ ଜଣକ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଇଟାମାଟି ଗ୍ରାମର ବାଳକୃଷ୍ଣ ସାହୁ ବୋଲି ଚିହ୍ନଟ କରିଥିଲେ। ଏ ନେଇ ପୁଲିସକୁ ଖବର ଦିଆଯାଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ବାଳକୃଷ୍ଣ ଜଣେ ବ୍ୟବସାୟୀ । ହୁଏତ ବ୍ୟବସାୟିକ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ଦୁର୍ବୃତ୍ତମାନେ ଶ୍ରୀ ସାହୁଙ୍କ ମୁହା ଓ ଶରୀରର ବିଭିନ୍ନ ଅଂଶକୁ ଛେଚି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର