ବୁଗୁଡା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତେଜରାତି ଦୋକାନୀକୁ ହତ୍ୟା ଅଭିଯୋଗ l ମୃତକ ହେଲେ କରଚୁଲି ଗ୍ରାମର ସୁଶାନ୍ତ ପାତ୍ର(୪୮) । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁଶାନ୍ତଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ପୁଲିସ ଏ ନେଇ କେସ୍ ନଂ ୭୯୦/୨୩ ରେ ଏକ ମାମଲା ରୁଜୁ କରି ୩ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ଜଣା ପଡିଛି l ସୁଶାନ୍ତ ବହୁ ବର୍ଷ ହେଲା କିରିଆମ୍ବା ଗ୍ରାମରେ ରାସନ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ l ଭୁବନେଶ୍ୱରରେ ରହୁଥିବା ତାଙ୍କ ଝିଅ ପାଖକୁ ଗତକାଲି ସନ୍ଧ୍ୟା ୭ଟାରେ ଫୋନ କରି କହିଥିଲେ ଯେ, 'ମୋତେ କିରିଆମ୍ବା ଗ୍ରାମର ପଦ୍ମନାଭ ନାୟକ, ବାସୁ ନାୟକ ଓ ବଡତଣ୍ଡା ଗ୍ରାମର ରଞ୍ଜିତ ନାୟକ ସବୁବେଳେ ମାରିଦେବି ବୋଲି କହୁଛନ୍ତି | ଯଦି ମୋର କଣ ଅସୁବିଧା ହୁଏ ତା ହେଲେ ଏହି ରେକର୍ଡ଼ିଂ ଶୁଣେଇ ଦେବ l ଭୁବନେଶ୍ୱରରେ ରହୁଥିବା ତାଙ୍କ ଝିଅ ରୁପାଲୀ ପାତ୍ର ସମସ୍ତ ବିଷୟ ରେକର୍ଡ଼ିଂ କରିବା ସହ ଘରକୁ ଫୋନ କରି ସବୁ କଥା ଜଣାଇଥିଲା ଏବଂ ପରିବାର ଲୋକେ ସୁଶାନ୍ତଙ୍କୁ ତୁରନ୍ତ ଫୋନ କରିଥିଲେ ହେଁ ସେ ଆଉ ଫୋନ ଉଠାଇନଥିଲେ | ଫଳରେ ଅଘଟଣ ଘଟିଥିବା ଆଶଙ୍କା କରି ସନ୍ଧ୍ୟା ସାଢେ ୭ଟାରେ ଭଣଜା ସୁଶାନ୍ତ ନାୟକ, ଶଳା ଜିତେନ୍ଦ୍ର ଆଲଟିଆ, ଡ୍ରାଇଭର ସନ୍ତୋଷ ସାହୁ ଏବଂ ଭାଇ ସଦାନନ୍ଦ ପାତ୍ର କିରିଆମ୍ବା ଯାଇ ଖୋଜାଖୋଜି କରି କିରିଆମ୍ବାଠାରୁ ୨ କିମି ଦୂର ଝାଡପଡା ନିକଟରେ ସୁଶାନ୍ତଙ୍କ ବାଇକ ରାସ୍ତା ଉପରେ ଥୁଆ ହୋଇଥିବାର ଦେଖିବାକୁ ପାଇଲେ । ସେମାନେ କିରିଆମ୍ବା ଗାଁରେ ପହଞ୍ଚି ସୁଶାନ୍ତଙ୍କ ସମ୍ପର୍କରେ ପଚାରିବାରୁ ସେ ଫେରିଯାଇଥିବା କଥା ଗାଁର କିଛି ଲୋକ କହିଥିଲେ ।
କରଚୁଲି ଗ୍ରାମବାସୀ କିରିଆମ୍ବା ଗାଁ ଲୋକଙ୍କ କଥାକୁ ସନ୍ଦେହ କରି ଆଖପାଖ ଅଞ୍ଚଳରେ ଟର୍ଚ୍ଚ ଲାଇଟ୍ ଧରି ବହୁ ସମୟ ଖୋଜାଖୋଜି ପରେ ବିଳମ୍ବିତ ରାତିରେ ସୁଶାନ୍ତଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ସୁଶାନ୍ତଙ୍କ ମୁଣ୍ଡରେ ଆଘାତ ଲାଗିଥିବା ସାଙ୍ଗକୁ ବେକ ପାଖ ଫୁଲି ଯାଇଥିବା ଦେଖିବାକୁ ମିଳିଥିଲା । ଏ ନେଇ ଖବର ପାଇବା ପରେ ଏସଆଇ ସମୀର ସେଠୀଙ୍କ ନେତୃତ୍ୱରେ ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସନ୍ଦେହରେ ୩ ଜଣକୁ ଅଟକ ରଖିଛନ୍ତି l