କଣ୍ଟାମାଳ: ଜଣେ ବିବାହିତ ନିଜ ସଂପର୍କୀୟ ପିଉସୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ତଣ୍ଟି କାଟି ହତ୍ୟା କରିବା ମାମଲାର ରାୟ ଶୁଣାଇଛନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅତିରିକ୍ତ ଦୌରାଜଜ୍ ଶିବ ପ୍ରସାଦ ମହାପାତ୍ର। ଶୁକ୍ରବାର ୧୯ ଜଣଙ୍କ ସାକ୍ଷ୍ୟ ଓ ୧୫ଟି ପ୍ରମାଣସିଦ୍ଧ ଦସ୍ତାବେଜ୍ ଆଧାରରେ ଆସାମୀକୁ ଆଜୀବନ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୧ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନାନୁସାରେ ଖୁଣ୍ଟିଗୋରା ପଞ୍ଚାୟତ ଆଶ୍ରେଗାଁର ଅର୍ଜୁନ ଦୀପ ଓ ଶିବ ଦୀପ ସଂପର୍କୀୟ ହୋଇଥିବା ବେଳେ ଉଭୟ ପରିବାର ସାମ୍ନାସାମ୍ନି ଘରେ ରହୁଥିଲେ। ତେବେ ଗତ ଗତ ୩୦.୬.୨୦୧୯ ତାରିଖ ଦିନ ଶିବଙ୍କ ପରିବାର ଲୋକେ ଇଟା ଗଢିବାକୁ ଯାଇଥିବା ବେଳେ ଘରେ ତାଙ୍କ ଝିଅ କବିତା ଦୀପ (୧୭) ଏକୁଟିଆ ଥିଲେ। କବିତା ସନ୍ଧ୍ୟା ପ୍ରାୟ ୫ଟା ବେଳେ ଅର୍ଜୁନଙ୍କ ଘରକୁ ଟିଭି ଦେଖିବାକୁ ଯାଇଥିଲେ। ସେ ସମୟରେ ଅର୍ଜୁନଙ୍କ ପରିବାର ଲୋକେ ବି ଘରେ ନଥିବା ବେଳେ କେବଳ ତାଙ୍କ ବିବାହିତ ପୁଅ ବିନୋଦ ଦୀପ (୨୨) ଥିଲା। ଏକୁଟିଆ ଥିବା ସୁଯୋଗ ବିନୋଦ କବିତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ମାତ୍ର ମନ୍ଦ ଉଦ୍ଦେଶ୍ୟ ଜାଣିପାରି କବିତା ସେଠାରୁ କୌଶଳକ୍ରମେ ଖସି ଘରକୁ ଚାଲି ଆସିଥିଲେ ହେଁ ପରିବାର ଲୋକଙ୍କୁ କିଛି କହି ନଥିଲେ। କିନ୍ତୁ ପରେ କାମାନ୍ଧ ବିନୋଦ ପୁଣି ରାତି ପ୍ରାୟ ୨ଟା ବେଳେ ଶିବଙ୍କ ଘରେ ପଶି ଆଈ ପାଖରେ ଶୋଇଥିବା କବିତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। କିନ୍ତୁ କବିତା ଏହାର ପ୍ରତିରୋଧ କରିବାରୁ ବିଫଳ ବିନୋଦ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ କାଟି ଦେଇ ଫେରାର ହୋଇଯାଇଥିଲା।
କବିତାଙ୍କ ପାଟି ଶୁଣି ପରିବାର ଲୋକେ ଉଠି ତୁରନ୍ତ ସୋନପୁର ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ମନମୁଣ୍ଡା ପଠାଇବା ସହ ସାଇଣ୍ଟିଫିକ ଟିମ ଯାଇ ତଦନ୍ତ କରିଥିଲା। ପରିବାର ପକ୍ଷରୁ ଅଭିଯୋଗ ପରେ କଣ୍ଟାମାଳ ଥାନା ପୁଲିସ୍ କେସ ନଂ. ୧୧୫/୨୦୧୯, ଆଇପିସିର ଦଫା ୩୦୨ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଉକ୍ତ ମାମଲାର ବିଚାର କରି ଅତିରିକ୍ତ ଦୌରାଜଜ୍ ଶିବ ପ୍ରସାଦ ମହାପାତ୍ର ଉପରୋକ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଦୁତିଆ ଚରଣ ସାହୁ ମାମଲା ପରିଚାଳନା କରିଥିଲେ।