ନାଲକୋ ନଗର : ନାଲକୋ ଥାନା ଅଧୀନରେ ଆସୁଥିବା କାଣ୍ଡସର ଷ୍ଟେଟ ବ୍ୟାଙ୍କ ନିକଟରେ ସକାଳ ୧୧.୩୦ ସମୟରେ ଜନୈକ ଯୁବକ ଏକ ବଜାଜ ପଲସର ଗାଡି ( ଓଡି୧୯ଡି୧୧୪୮) ରେ ଆସି ଅନେକ ବାହାର ରାଜ୍ୟର ଗାଡିକୁ ଅଟକାଇ ଦାଦା ବଟି ଆଦାୟ କରୁଥିଲା । ଏହି ସମୟରେ କାଣ୍ଡସର ଗ୍ରାମର ରଞ୍ଜନ ସାହୁ ନିଜର ଗାଡିରେ ଅନୁଗୋଳରୁ ନାଲକୋ ଆସୁଥିବା ସମୟରେ ଏହି ଯୁବକ ହାବୁଡ଼ରେ ପଡ଼ିଥିଲେ ଏବଂ ସେ ତାଙ୍କୁ ୫୦୦୦ ଟଙ୍କା ଦାଦା ବଟି ମାଗିଥିଲା, କିନ୍ତୁ ରଞ୍ଜନ ତାଙ୍କୁ ଟଙ୍କା ନଦେଇ ଡ୍ରାଇଭର ମହାସଂଘକୁ ଖବର ଦେବା ସହ ନିଜର ଉପସ୍ଥିତ ବୁଦ୍ଧି ଦ୍ଵାରା ଏହି ବ୍ୟକ୍ତିକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ଲୋକମାନେ ଜମା ହୋଇ ସଂପୃକ୍ତ ବ୍ୟକ୍ତିକୁ ମାଡ଼ ଦେଇ ପୁଲିସକୁ ଖବର ଦେଇଥିଲେ ।
ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକକୁ କାବୁ କରିବା ସହ ଏକ ନାଲି ରଙ୍ଗର ପଲସର ଗାଡ଼ି ନଗଦ ୨୧୬୦ଟଙ୍କା ଜବତ କରିଛି । ଉକ୍ତ ଯୁବକ ନାଲକୋ ଅଞ୍ଚଳ ରେ ବହୁ ଦିନରୁ ଦାଦା ବଟି ମାଗିବା କାମରେ ଲିପ୍ତ ଥିଲେ ବୋଲି ଡ୍ରାଇଭର ସଂଘ ପ୍ରକାଶ କରିଛନ୍ତି ।