ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଧୀନ ରୁମାଗଡ଼-ମନ୍ଦାର ରାସ୍ତା ଡିମିରିପଲ୍ଲୀ ଛକରେ ଗତକାଲି ଗୁପ୍‌ଚୁପ୍ ବିକାଳି ତଥା ବିହାରର ଧ୍ୟାନେନ୍ଦ୍ର ସିଂହଙ୍କୁ ଗୁଳି କରି ହତ୍ୟା ଉଦ୍ୟମ ମାମଲାରେ ପୁଲିସ ଅଭିଯୁକ୍ତ ବିକାଶ ସିଂହକୁ ଗିରଫ କରିଛି। ତା'ଠାରୁ ୨ଟି ପିସ୍ତଲ ଓ ୨ଟି ଗୁଳି ଜବତ ହୋଇଛି। ସେପଟେ ଗୁରୁତର ଧ୍ୟାନେନ୍ଦ୍ରଙ୍କ ପେଟରୁ ଗୁଳି ବାହାର କରାଯିବା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

ଧ୍ୟାନେନ୍ଦ୍ର ବୁଗୁଡ଼ା ଥାନା ବାଲିପଦର ହନୁମାନ ବଜାର ନିକଟରେ ଘର ଭଡ଼ା ନେଇ ରହି ଗୁପଚୁପ୍ ବେପାର କରୁଥିଲେ। ହେଲେ ସେଠାରେ ଜଣେ ବିବାହିତାଙ୍କ ସହ ଧ୍ୟାନେନ୍ଦ୍ରଙ୍କ ସଂପର୍କ ଥିଲା। ଯାହାକୁ ନେଇ ବିକାଶ ସହ ତାଙ୍କର ତିକ୍ତତା ଲାଗି ରହିଥିଲା। ଫଳରେ ଧ୍ୟାନେନ୍ଦ୍ରଙ୍କୁ ହତ୍ୟା ପାଇଁ ବିକାଶ ଯୋଜନା କରିଥିଲା। ଆଉ ମଝିରେ ବିହାର ଯାଇ ପିସ୍ତଲ କିଣି ଆଣି ସୁଯୋଗ ଅପେକ୍ଷାରେ ଥିଲା।

ଗତକାଲି ସନ୍ଧ୍ୟାରେ ବିକାଶ ବାହାନା କରି ବାହାଘର ପାଇଁ ଜଣେ ବ୍ୟକ୍ତି ଗୁପ୍‌ଚୁପ୍ ବରାଦ କରିବାର ଅଛି ‌ବୋଲି କହି ଧ୍ୟାନେନ୍ଦ୍ରଙ୍କୁ ଡାକିଥିଲା। ବାଇକ୍‌‌ରେ ନେଇ ରୁମାଗଡ଼ ଗାଁ ନିକଟରେ ତାଙ୍କୁ ଅତି ନିକଟରୁ ଗୁଳି କରି ଚମ୍ପଟ୍ ମାରିଥିଲା। ପେଟରେ ଗୁଳି ବାଜିଥିଲେ ବି ଧ୍ୟାନେନ୍ଦ୍ର କଷ୍ଟେମଷ୍ଟେ ବାଇକ୍‌ ଚଳାଇ ବାଲିପଦର ଚାଲିଆସିଥିଲେ। ସେଠାରେ ପହଞ୍ଚିବା ପରେ ସହଯୋଗୀ ମାନେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ଆଣିଥିଲେ। ତେବେ ଘଟଣାସ୍ଥଳ କାହା ଅଧୀନରେ ଆସୁଛି, ଏହାକୁ ନେଇ ପୋଲସରା ଓ ବୁଗୁଡ଼ା ପୁଲିସ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଥିଲା। ଶେଷରେ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ମାପଚୁପ କଲା ପରେ ଘଟଣାସ୍ଥଳ ପୋଲସରା ଥାନା ଇଲାକାର ବୋଲି ଜଣାପଡ଼ିଥିଲା। ଅଭିଯୁକ୍ତ ବିକାଶକୁ ପୋଲସରା ପୁଲିସ ନେଇ ପଚରାଉଚରା ପରେ ଗିରଫ କରିଥିଲା।