ଦିନ ଦ୍ବିପ୍ରହରରେ ବୁଲିଲା ଖଣ୍ଡା ଓ ଭୁଜାଲି: ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

– ଯୁବକ ଗୁରୁତର, କଟକ ସ୍ଥାନାନ୍ତର
– ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ
– ପୁଲିସର ନିଷ୍କ୍ରିୟତା ଉପରେ ସହରବାସୀ କ୍ଷୁବ୍ଧ

ବାଲେଶ୍ୱର: ବାଲେଶ୍ବର ସହର ସହଦେବଖୁଣ୍ଟା ମଡେଲ ଥାନା ଅଧୀନ ରେଲୱେ କଲୋନି ରାସ୍ତାରେ ସୋମବାର ମଧ୍ୟାହ୍ନରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ଆକ୍ରମଣର ଶିକାର ହୋଇଥିବା ସମ୍ପୃକ୍ତ ଯୁବକଜଣକ ସ୍ଥାନୀୟ ତେଲେଙ୍ଗାସାହିର ଲକ୍ଷ୍ମଣ ପାତ୍ରଙ୍କ ପୁଅ କାଳିଆ ଓରଫ୍ ଦିବ୍ୟଜିତ ପାତ୍ର(୨୭) ବୋଲି ଜଣାପଡ଼ିଛି।

ଆକ୍ରମଣକାରୀମାନେ ସମ୍ପୃକ୍ତ ଯୁବକଜଣଙ୍କୁ ଖଣ୍ଡା, ଭୁଜାଲି ଓ ତେଲେଙ୍ଗାକଟୁରିରେ ଅତି ନିର୍ମମ ଭାବେ ଆକ୍ରମଣ କରି ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କାଳିଆକୁ ପ୍ରଥମେ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ତାର ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ଘଟଣାପଛର କୌଣସି ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନଥିଲେ ବି କାଳିଆ ନାଁରେ ବାଲେଶ୍ବର ରେଳଷ୍ଟେସନରେ ଟିକେଟ କଳାବଜାରି କାରବାର ଅଭିଯୋଗ ରହିଛି। ଏହି କାରବାରକୁ ନେଇ କିଛିଦିନ ପୂର୍ବରୁ ସ୍ଥାନୀୟ ଭାସ୍କରଗଂଜ ଅଞ୍ଚଳର କିଛି ଯୁବକମାନଙ୍କ ସହ ତାଙ୍କର ଗଣ୍ଡଗୋଳ ହୋଇଥିଲା। ତେବେ ଆଜି ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ସେ ଷ୍ଟେସନରୁ ବାହାରି ଏକୁଟିଆ ରେଲୱେକଲୋନି ରାସ୍ତାରେ ଘରକୁ ଫେରୁଥିବା ବେଳେ ୧୦ରୁ ୧୨ ଜଣ ଯୁବକ ହାତରେ ଖଣ୍ଡା, ତେଲେଙ୍ଗାକଟୁରି ଓ ଭୁଜାଲି ଧରି ଆସି ତାକୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ।

କାଳିଆର ମୁଣ୍ଡ, ମୁହଁ, ହାତ ଓ ଗୋଡ଼କୁ ଅତି ନିର୍ମମ ଭାବେ ଆକ୍ରମଣ କରି ରକ୍ତଜୁଡ଼ୁବୁଡ଼ୁ କରି ଦେଇଥିଲେ। ଗୁରୁତର ଅବସ୍ଥାରେ ସେ ରାସ୍ତା କଡ଼ରେ ପଡ଼ିଥିବା ବେଳେ ପୁଲିସ ପହଞ୍ଚି ତାକୁ ଉଦ୍ଧାର କରି ଜିଲ୍ଲା ବଡ଼ଡାକ୍ତରଖାନାକୁ ନେଇଥିଲେ। ବାଲେଶ୍ବର ଏସ୍ପି ସୁଧାଂଶୁଶେଖର ମିଶ୍ରଙ୍କ ନିର୍ଦ୍ଦେଶରେ କ୍ରାଇମ ଡିଏସ୍ପି ମନୋଜ ରାଉତ ଏହି ଘଟଣାର ଛାନଭିନ୍ ଆରମ୍ଭ କରିଛନ୍ତି। ଅନ୍ୟପଟେ ଗୁରୁତର କାଳିଆର ମା’ ସହଦେବଖୁଣ୍ଟା ଥାନାରେ ଏନେଇ ଏକ ଅଭିଯୋଗ କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଦୁଇବର୍ଷ ପୂର୍ବରୁ ୨୦୧୮ ମସିହା ଜାନୁଆରି ୨୪ ତାରିଖ ଦିନ ଦ୍ବିପ୍ରହରରେ ସହରର ଓଟିରୋଡରେ ଦୁର୍ଦ୍ଦାନ୍ତ ଅପରାଧୀ ପାପା ପଣ୍ଡାର ଭାଇ କୁନୁ ପଣ୍ଡାକୁ ତାର ବିରୋଧୀ ଗ୍ୟାଙ୍ଗର ଅପରାଧୀମାନେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ।

ସମାନ ଧରଣର ଘଟଣା ୨୦୧୬ ମସିହା ଜୁନ୍ ୨୨ ତାରିଖ ସଂଧ୍ୟାରେ ଶୋଭାରାମପୁର ପଡ଼ିଆରେ ଦୁର୍ଦ୍ଦାନ୍ତ ଅପରାଧୀ ଖାସୁଆକୁ ସଂଘବଦ୍ଧ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିଲା। ସେହିପରି ୨୦୧୭ ମସିହାରେ ସହରର ଟାଉନ୍ ଥାନା ଅଧୀନ ପୁରୁଣା ବାଲେଶ୍ବରଠାରେ ଏକ ସେଲୁନ୍ ଭିତରେ ପଶି ଦୁଇଭାଇଙ୍କୁ ଅତି ନିର୍ମମ ଭାବେ ହତ୍ୟା ଭଳି ଛାତିଥରା ଘଟଣା ସହରବାସୀଙ୍କ ମନରୁ ଏବେବି ଲିଭିନାହିଁ।

ତେବେ କିଛିଦିନର ବ୍ୟବଧାନ ପରେ ସହର ମଝିରେ ଅପରାଧୀଙ୍କର ଏଭଳି କାଣ୍ଡ ସହରବାସୀଙ୍କ ମନରେ ଆତଙ୍କ ଖେଳାଇ ଦେଇଛି। ସହରରେ ପୁଲିସ ବିଭାଗର ହୁଗୁଳା ଆଇନଶୃଙ୍ଖଳା ବ୍ୟବସ୍ଥା ଯୋଗୁଁ ଅପରାଧୀ ଗ୍ୟାଙ୍ଗ୍ ପୁଣିଥରେ ସକ୍ରିୟ ହୋଇଉଠିଥିବା ବେଳେ ଦିନ ଦ୍ବିପ୍ରହରରେ ଏଭଳି ଏକ ଜଘନ୍ୟ ଘଟଣା ଘଟାଇ ଅପରାଧୀମାନେ ପୁଲିସ କବ୍ଜାରୁ ଖସିଯିବା ବିଭାଗର ନିଷ୍କ୍ରିୟତାକୁ ପ୍ରମାଣ କରିଥିବା ସହରବାସୀ ଅଭିଯୋଗ କରିଛନ୍ତି

ସମ୍ବନ୍ଧିତ ଖବର