କାଲିମେଳା : ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଏମଭି-୭୯ ଥାନା ଅନ୍ତର୍ଗତ ରାଜୁଳକୁଣ୍ଡା ଗ୍ରାମରେ ସ୍ୱାମୀର ଲାଠିମାଡ଼ରେ ସ୍ତ୍ରୀର ମୃତ୍ୟୁହୋଇଛି । ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସୋମା କବାସୀକୁ ଗିରଫ କରିଛି ।
ମିଳିଥିବା ସୂଚନା ଅନୁସାରେ ଶନିବାର ସକାଳ ୭ଟା ବେଳେ ସୋମା କବାସୀ ନିଜ ସ୍ତ୍ରୀ ଇର୍ମେ କବାସୀକୁ ଏକ ଲାଠି ସାହାଯ୍ୟରେ ଆକ୍ରମଣ କରିଥିଲା । ଏହି ଆକ୍ରମଣ ଫଳରେ ଇର୍ମେଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ହତ୍ୟାକାଣ୍ଡ ଘଟାଇବା ପରେ ସୋମା କବାସୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।
ତେବେ ଇର୍ମେର ଭାଇ ଏ ସମ୍ପର୍କରେ ଏମଭି-୭୯ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପୁଲିସ ଅଭିଯୁକ୍ତ ସୋମାକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଜନ କୁଜୁର କହିଛନ୍ତି ।