ବାଞ୍ଛାନଗର ଗାଁରେ ଅଘଟଣ: ସ୍ତ୍ରୀ କୁ ହତ୍ୟା ପରେ ବିଷପିଇ ଆତ୍ମହତ୍ୟା କଲା ସ୍ୱାମୀ

ବରଗଡ଼: ଗାଇସିଲାଟ ବ୍ଳକ ଅନ୍ତର୍ଗତ ବାଞ୍ଛାନଗର ଗାଁରେ ଆଜି ଜଣେ ଲୋକ ନିଜ ସ୍ତ୍ରୀ କୁ ହତ୍ୟା କରିବା ପରେ କୀଟନାଷକ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏ ନେଇ ଗାଇସିଲାଟ ଥାନାରେ ଅଭିଯୋଗ ହୋଇଛି। ଗାଇସିଲାଟ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପଞ୍ଚନାମା କରିବା ପରେ ଶବ ବ୍ୟବଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଗୁରୁବାର ସକାଳେ ଶବବ୍ୟବଛେଦ ହେବ ବୋଲି ଜଣାଯାଇଛି ।

ସୂଚନା ଅନୁସାରେ ସନ୍ଧିବାହାଲ ପଂଚାୟତର ବାଞ୍ଛାନଗର ଗ୍ରାମର ମହେଶ୍ୱର ସାହୁଙ୍କ ପରିବାର କହିଲେ ସ୍ତ୍ରୀ ସୁଶ୍ରୀତା ଓ ଦୁଇ ଝିଅ ଗେଲି (୧୫) ଓ ମିଷ୍ଟି (୫)। ବଡ଼ଝିଅ ଗେଲି ବଲାଙ୍ଗୀର ଜିଲ୍ଲା ଝରନିପାଲି ହାଇସ୍କୁଲରେ ଦଶମ ଶ୍ରେଣୀର ଛାତ୍ରୀ, ସାନଝିଅ ଗାଁ ସ୍କୁଲରେ ପ୍ରଥମ ଶ୍ରେଣୀରେ ପଢ଼େ। ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବାରମ୍ବାର ମନାନ୍ତର ଘଟୁଥିଲା। ଗତ ଡିସେମ୍ବର ୧୫ତାରିଖରେ ସୁଶ୍ରୀତା ନିଜ ଝିଅର ପାଠ ପଢ଼ା ପାଇଁ ବାପଘର ଗାଁ ଡୁଙ୍ଗୁରିପାଲରେ ଘରଭଡା ନେଇ ରହୁଥିଲେ। ଆଜି ମକରସଂକ୍ରାନ୍ତି ଦିନ ସକାଳ ୯ଟା ସମୟରେ ବାଞ୍ଚାନଗରକୁ ପହଂଚିଥିଲେ।

ବଡ ଝିଅ ନିଜ ସାଙ୍ଗମାନଙ୍କ ସହ ନିକଟସ୍ଥ ଶିବମନ୍ଦିରକୁ ଯାଇଥିଲେ। ସାନଝିଅ ମା’ଙ୍କ ସହ ଥିଲା। ବାପା-ମା’ଙ୍କ ଝମେଲାରେ ଭୟଭୀତ ହୋଇ ଘର ବାହାରକୁ ଚାଲି ଆସିଥିଲା। ମନ୍ଦିରରୁ ବଡ଼ଝିଅ ଫେରି ମା’ ନିଆଁରେ ପୋଡ଼ି ମରିଥିବାର ଦେଖିଥିଲା। ସଙ୍ଗେ ସଂଗେ ଚାଲିଚାଲି ବହୁଦୂର ଆସି ଶରଧାପାଲିରେ ପହଞ୍ଚିଥିଲା। ଶରଧାପାଲିରୁ ଜଣଙ୍କୁ ନେଇ ଗାଇସିଲାଟ ଥାନାରେ ପହଞ୍ଚିଥିଲା। ସ୍ତ୍ରୀକୁ ମହେଶ୍ୱର ପ୍ରଥମେ ବାଡ଼ିରେ ମାଡମାରିଥଲା। ପରେ କିରୋସିନି ଲଗାଇ ପୋଡ଼ି ମାରିବାପରେ ନିଜେ କୀଟନାଷକ (ଏକାଲସ) ପିଇ ଘରୁ ଅଳ୍ପଦୂର ରାସ୍ତାକଡ଼ରେ ଥିବା ଏକ ବାରଣ୍ଡାରେ ମରିପଡିଥିବା ଦେଖିବାକୁ ମିଳିଥିଲା। ମହେଶ୍ୱରଙ୍କର ଶବ ନିକଟରେ ଏକ ଭୁଜାଲି ପଡିଥିଲା। ସୁଶ୍ରୀତାଙ୍କ ଅର୍ଦ୍ଧଦଗ୍ଧ ଶବ ନିକଟରେ ପଡ଼ିଥିବା ରକ୍ତ ଲାଗିଥିବା ବାଡ଼ି, ଭଙ୍ଗା ଚୁଡ଼ି, କୀଟନାଶକ ଔଷଧ, ଭଙ୍ଗା ମୋବାଇଲ ଆଦିକୁ ପୁଲିସ ଜବତ କରିଛି। ଘଟଣାସ୍ଥଳକୁ ପଦ୍ମପୁର ଏସ.ଡି.ପି.ଓ ପହଂଚି ଘଟଣା ସମ୍ବନ୍ଧରେ ପଚାରି ବୁଝିଥିଲେ। ଘଟଣାଟି ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର