ମଧ୍ୟରାତ୍ରିରେ ସ୍ତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ହାଣିଦେଲା ସ୍ବାମୀ, ଥାନାରେ କଲା ଆତ୍ମସମର୍ପଣ

ବୀରମହାରାଜପୁର: ନିଜ ସ୍ତ୍ରୀକୁ ନିର୍ମମଭାବେ ହତ୍ୟା କଲା ନୃଶଂସ ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଟିକ୍ରାପଡା ଗାଁରେ। ଲଛମନ ସିଂ ୨୦୧୩ ମସିହାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିନ୍ଦୁରପୁର ଗାଁର ଝଅ ସୁନିତାଙ୍କୁ ବୈଦିକ ରୀତିରେ ବିବାହ କରିଥିଲା। ବିବାହ ପରଠାରୁ ୭ ବର୍ଷ ହେଲା ଲଛମନ୍‌ ଶ୍ବଶୁର ଘର ଲୋକଙ୍କୁ ଅନେକ ସମୟରେ ଟଙ୍କା ମାଗୁଥିଲା। ଟଙ୍କା ନ ମିଳିଲେ ସ୍ତ୍ରୀଙ୍କୁ ନିର୍ଯାତନା ଦେଉଥିଲା। ଏଥି ପାଇଁ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା। ଗତରାତିରେ ସୁନିତାଙ୍କୁ ଲଛମନ୍‌ ନିର୍ମମଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଟଙ୍କା ପାଇଁ ଶାଶୁ ଘର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ସୁନିତାଙ୍କ ପରିବାର ଲୋକ। ବିଭିନ୍ନ ସମୟରେ ଜ୍ବାଇଁ ଟଙ୍କା ମାଗୁଥିବାବେଳେ ଗତକାଲି ମଧ୍ୟ ୩୦ ହଜାର ଟଙ୍କା ମାଗିଥିଲେ ।

ତେବେ ଟଙ୍କା ନଦେବାରୁ ଆମ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଘଟଣାସ୍ଥଳରେ ସୁବଳୟା ପୁଲିସ ଓ ସାଇଟିଫିକ ଦଳ ପହଞ୍ଚି ଅଭିଯୋଗକୁ ଭିତ୍ତି କରି ଅଧିକ ଅନୁସନ୍ଧାନ କରୁଛନ୍ତି । ଘଟଣାରେ ସୁନିତାଙ୍କ ସ୍ବାମୀ ଲଛମନ ସହ ତାଙ୍କ ପରିବାର ଲୋକ ସଂପୃକ୍ତ ଥିବା ତାଙ୍କ ମା’ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ସବୁ ଦିଗକୁ ନେଇ ତଦନ୍ତ ଚାଲିଥିବା କହିଛନ୍ତି ବୀରମହାରାଜପୁର ଏସଡିପିଓ ଡୋଲାମଣି ଭୋଇ । ତେବେ ଲଛମନ ସିଂ ବୀରମହାରାଜପୁର ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ତେବେ ମା’ର ମୃତ୍ୟୁ ଓ ବାପା ଜେଲ ଯିବା ପରେ ୨ ଶିଶୁ ପୁତ୍ର କେମିତି ବଢ଼ିବେ ସେ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର