ୟୁଟ୍ୟୁବରୁ ଶିଖି ସଫଳ ମତ୍ସ୍ୟ ଚାଷୀ; ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟକୁ ମାଛ ରପ୍ତାନୀ

ମନୋସେକ୍ସ ଲୋକଙ୍କ ପ୍ରଥମ ପସନ୍ଦ

ମାଲକାନଗିରି: ନିଜର ଇଛା ଶକ୍ତି ଥିଲେ ଯେକୌଣସି ବିଭାଗରେ ମଧ୍ୟ ଜଣେ ସଫଳ ହୋଇପାରିବ। ତେବେ ଏଭଳି ଜଣେ ସଫଳ ମତ୍ସ୍ୟ ଚାଷୀଙ୍କ ବିଷୟରେ ଆମେ ଏଠାରେ କହୁଛୁ ଯିଏକି ୟୁଟ୍ୟୁବରୁ ଶିକ୍ଷା ଲାଭ କରି ମାଲକାନଗିରି ଜିଲ୍ଲାର ଜଣେ ସଫଳ ମତ୍ସ୍ୟ ଚାଷୀ ରୂପେ ପରିଚିତ ହୋଇ ପାରିଛନ୍ତି। ସେ ହେଉଛନ୍ତି କୋରକୋଣ୍ଡାର ଅଶୋକ ପରିଡା। ବୟସ ପାଖାପାଖି ୪୫ ହେବ। ଗତ କିଛି ବର୍ଷ ତଳେ ସେ କୋରକୋଣ୍ଡା ପଞ୍ଚାୟତର ବନ୍ଧଟିକୁ ଲିଜ ଆକାରରେ ନେଇଥିଲେ। ସେଥିରେ ସେ ମାଛ ଛାଡି ବେଶ ଦିପଇସା ରୋଜାଗାର କରିଥିଲେ। ତେବେ ସେତେକିରେ ତାଂକର ମନ ପୁରିନଥିଲା।

ସେ ମତ୍ସ୍ୟ ଚାଷ କରି କିପରି ଜଣେ ଭଲ ବ୍ୟବସାୟ ହୋଇପାରିବେ ସେନେଇ ୟୁଟ୍ୟୁବରେ ତାଲିମ ନେଲେ। ନିଜର ସ୍ବଳ୍ପ ଜମିରେ ବନ୍ଧ ଖୋଳିଲେ। ସେଠାରେ କିଛି ବର୍ଷ ମାଛ ଚାଷ କରିବା ପରେ କୋରକୋଣ୍ଡା ଅଂଚଳେ ଏବେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ବନ୍ଧ ତାଂକ ପାଖରେ ରହିଛି। ତେବେ କେନାଲ ନିକଟରେ ବନ୍ଧ ଗୁଡିକ ରହିଥିବାରୁ ବନ୍ଧରେ ବର୍ଷସାରା ପାଣି ରହିଥାଏ। ଅଶୋକ ସକାଳୁ ଉଠିବା ମାତ୍ରେ ପ୍ରଥମେ ସମସ୍ତ ବନ୍ଧକୁ ବୁଲି ତଦାରଖ କରିଥାନ୍ତି। ତାଂକ ନିକଟରେ ଆଜି ୫୦ରୁ ଉର୍ଦ୍ଧ୍ବ ଲୋକ କାମ କରୁଛନ୍ତି। ନିଜେ ବଂଚିବା ସହ ଅନ୍ୟ ମାନଙ୍କୁ ମଧ୍ୟ ରୋଜାଗାର ଯୋଗାଇ ପାରିଛନ୍ତି। ସମସ୍ତ ବନ୍ଧରେ କେବଳ ମାଛ ଚାଷ କରାଯାଉ ନାହିଁ, ବରଂ ମାଛ ଯାଅଁଳ ଚାଷ ମଧ୍ୟ କରାଯାଉଛି। ଯାହାକି ଜିଲ୍ଲା ସମେତ ରାଜ୍ୟ ଏବଂ ପଡୋଶୀ ରାଜ୍ୟକୁ ମଧ୍ୟ ମାଛ ରପ୍ତାନୀ କରାଯାଉଛି। ଅଶୋକ ନିଜ ବନ୍ଧରେ ଭଳିକି ଭଳି ମାଛ ଚାଷ କରୁଛନ୍ତି। ବ୍ୟବସାୟୀମାନଙ୍କ ମନ ପସନ୍ଦର ମାଛ ମିଳୁଥିବାରୁ ଏଠାରେ ପ୍ରତିଦିନ କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ ବ୍ୟବସାୟୀ ମାନେ ନେଇ ମାଲକାନଗିରି ସମେତ ପଡୋଶୀ ଛତିଶଗଡରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ସେହିପରି ଜିଲ୍ଲା ସମେତ ବିଭିନ୍ନ ଅଂଚଳରୁ ମାଛ ଯାଅଁଳା ନେବା ପାଇଁ ଏଠାକୁ ଲୋକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି। ପ୍ରତିବର୍ଷ ଅଶୋକ ୧୫ରୁ ୨୦ ଲକ୍ଷ ଟଂକା ମାଛ ଚାଷରେ ରୋଜଗାର କରୁଥିବା କହନ୍ତି। ସକାଳୁ ଅଶୋକ ମାଛମାନଙ୍କୁ ଖାଦ୍ୟ ଦେବା ସହ ସେମାନେ କିପରି କମ୍ ସମୟ ମଧ୍ୟରେ ଅଧିକା ବଢିବେ ସେନେଇ ମଧ୍ୟ ୟୁଟ୍ୟୁବରୁ ତାଲିମ ଗ୍ରହଣ କରିଥିବା କହନ୍ତି।

Sambad

ତେବେ ଲୋକଙ୍କର ସବୁଠାରୁ ମନ ପସନ୍ଦର ମାଛ ହେଲା ମନୋସେକ୍ସ। ଏହି ମାଛ ଦେଖିବାକୁ କଉ ମାଛ ଭଳି। ଏହି ମାଛ ଅନ୍ୟ ମାଛ ଠାରୁ ସୁସ୍ବାଦୁ ରହିଥବାରୁ ଲୋକେ ଏହାକୁ ଖରିଦ କରି ନେବାକୁ ଏଠାକୁ ଆସିଥାନ୍ତି। ଅଶୋକ ଏହି ମାଛକୁ ବାହାର ରାଜ୍ୟରୁ ଆଣି ମାଲକାନଗିରିରେ ପରିଚିତ କରାଇଛନ୍ତି। ଜିଲ୍ଲାରେ ଅନେକ ମାଛ ଚାଷୀ ରହିଛନ୍ତି। କିନ୍ତୁ ଅଶୋକ ଯେଭଳି ଭାବେ ବିଭିନ୍ନ ରକମର ମାଛ ଛୋଟ ଛୋଟ ବ୍ୟବସାୟୀଙ୍କୁ ଯୋଗାଇ ପାରୁଛନ୍ତି ସେଭଳି କେହି ଯୋଗାଇ ପାରୁନାହାନ୍ତି। ମାଲକାନଗିରି ଜିଲ୍ଲାରେ ସବୁଠାରୁ ବେଶୀ ଫଙ୍ଗସ୍ ମାଛ ଏଠାରେ ଉତ୍ପାଦନ କରାଯାଏ। ରୋହୀ, ଭାକୁର ସମେତ ବିଭିନ୍ନ ରକମର ମାଛ ମିଳିଥାଏ। ପ୍ରତିଦିନ ଜିଲ୍ଲାବାସୀଙ୍କୁ ସୁସ୍ବାଦୁ ସତେଜ ବନ୍ଧ ମାଛ ଅଶୋକ ଯୋଗାଇଥାନ୍ତି। ସେ ଅନ୍ୟମାନଙ୍କୁ ମଧ୍ୟ ମାଛ ଚାଷ କରି ଜଣେ ସଫଳ ଚାଷୀ ହେବା ପାଇଁ ପ୍ରବର୍ତ୍ତାଉଛନ୍ତି। ମାଛ ଚାଷ ସଂପର୍କରେ କିଛି ନଜାଣି ମଧ୍ୟ ସେ ଆଜି ଜଣେ ସଫଳ ମାଛ ଚାଷୀ। ତେବେ ସେ ଯାହା ୟୁଟ୍ୟୁବରୁ ଶିକ୍ଷା ଗ୍ରହଣ କରିଛନ୍ତି, ସେ ଅନ୍ୟକୁ ମଧ୍ୟ ଏହି ଚାଷରେ ସହଯୋଗ କରିପାରିବେ ବୋଲି କହନ୍ତି।

ସମ୍ବନ୍ଧିତ ଖବର