କେନ୍ଦୁଝର: ତାନ୍ତ୍ରିକ ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ

ଯୋଡ଼ା( କେନ୍ଦୁଝର) :ଆଜି ବି ଅନ୍ଧବିଶ୍ୱାସରେ ସଢ଼ୁଛି ରାଜ୍ୟର ଆଦିବାସୀ ଗ୍ରାମ ଗୁଡ଼ିକ। ଗୁଣିଗାରେଡି ପ୍ରତି ରହିଥିବା ଅତ୍ୟଧିକ ଅନ୍ଧବିଶ୍ୱାସ ଯୋଗୁଁ ବଳି ପଡ଼ୁଛି ନିରିହ ଜୀବନ। କୌଣସି କାରଣୁ ଜଣେ ଯୁବକଙ୍କ ମାଆଙ୍କର ଅକାଳ ମୃତ୍ୟୁ ଘଟିଥିଲା। ମାଆର ମତ୍ୟୁ ପାଇ ଗ୍ରାମର ଜଣେ ଯୁବକ ଓ ତାଙ୍କ ଗୁଣିଗାରେଡି କାର୍ଯ୍ୟକୁ ସନ୍ଦେହ କରିଥିଲେ ମୃତ ମହିଳାଙ୍କ ପୁଅ । ବାସ୍‌, ତା ପରେ ଆରମ୍ଭ ହୋଇଥିଲା ଯୋଜନା। କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ବାମେବାରି ଥାନା ଅନ୍ତର୍ଗତ ପିଢ଼ପୋଖରି ଗାଁରେ ଗୁଣିଗାରେଡି ସନ୍ଦେହରେ ଗ୍ରାମର ଜଣେ ଯୁବକଙ୍କୁ ଅନ୍ୟ କେତେକ ଯୁବକ ପିଟି ପିଟି ମାରି ଦେଇଛନ୍ତି। ଅତି ନୃଶଂସଭାବେ ଯୁବକଙ୍କୁ ହତ୍ୟା କରିବା ପରେ ଘୋଷାଡ଼ି ଘୋଷାଡ଼ିି ନେଇ ଏକ ନାଳ ପାଖରେ ଫିଙ୍ଗି ଦେଇଛନ୍ତ। ଘଟଣା ଇତିମଧ୍ୟରେ ୩ ଦିନ ହୋଇ ଯାଇଥିଲେ ମଧ୍ୟ ଆଜି ସକାଳେ ପୁଲିସ ଏ ନେଇ ସୂଚନା ପାଇବା ପରେ ଗାଁରେ ପହଞ୍ଚିିଛି ।ଏହି ସଂଘବଦ୍ଧ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ଟୁଟୁ ମୁଣ୍ଡାଙ୍କ ମାଆଙ୍କର ଗତ କିଛିଦିନ ତଳେ ମୃତ୍ୟୁ ଘଟିଥିଲା। ମାଆଙ୍କ ମୃତ୍ୟୁ ପାଇଁ ଟୁଟୁ ଗ୍ରାମର ସୁଦାମ ମୁଣ୍ଡା(୪୦ ବର୍ଷ)ଙ୍କୁ ସନ୍ଦେହ କରୁଥିଲେ। ସୁଦାମ ଜଣେ ତାନ୍ତ୍ରିକ ଓ ତାଙ୍କ ଗୁଣିଗାରେଡି ଯୋଗୁଁ ମାଆ ମରିଗଲା ବୋଲି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଟୁଟୁ ସୁଦାମଙ୍କ ଉପରେ ପ୍ରତିଶୋଧ ନେବାକୁ ଚାହିଁଥିଲେ। ଏଥିପାଇଁ ଗତ ସୋମବାର ଦିନ ସୁଦାମ ଘରେ ଥିବା ବେଳେ ୪/୫ ଜଣ ଏକାଠି ଠେଙ୍ଗାବାଡ଼ି ନେଇ ତାଙ୍କ ଘରେ ପହଞ୍ଚି ତାଙ୍କୁ ପିଟିପିଟି ମାରି ଦେଇଥିଲେ। ପରେ ଶବକୁ ଫିଙ୍ଗି ଦେଇଥିଲେ। ତେବେ ଏତେ ବଡ଼ ଘଟଣା ଘଟିଥିଲେ ମଧ୍ୟ କେହି ପୁଲିସକୁ ସୂଚନା ଦେଇ ନ ଥିଲେ। ଗତକାଲି ରାତିରେ ପୁଲିସ ଏ ନେଇ ଏକ ସୂଚନା ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଘଟଣାସ୍ଥଳରେ ପହଁଞ୍ଚି ମୃତଦେହ ଜବତ କରିବା ସହିତ ଟୁଟୁ ମୁଣ୍ଡା ଓ ତାଙ୍କୁ ଏହି ହତ୍ୟାକାଣ୍ଡରେ ସହଯୋଗ କରିଥିବା ସେଣ୍ଢ ମୁଣ୍ଡା, ମିଶ୍ର ମୁଣ୍ଡା ଓ ଦୁର୍ଗା ମୁଣ୍ଡାଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର