ଖୋର୍ଦ୍ଧା: ସଦର ଥାନା ଅନ୍ତର୍ଗତ ଛତିପୁର ଗାଁରେ ଜନୈକ ବ୍ୟକ୍ତି ଗ୍ରାମର ସଡ଼କ ଓ ପାଇପ୍ ଲାଇନ ଖୋଳି ନିଜର ଘର ନିର୍ମାଣ କରୁଥିବା ନେଇ ଗାଁରେ ଅଶାନ୍ତି ସୃଷ୍ଟି ହୋଇଛି। ଏନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ରାଜସ୍ବ ବିଭାଗ ଓ ପୁଲିସ ଘଟଣାସ୍ଥଳର ଯାଂଚ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ନେଇ ଗ୍ରାମର ଶାନ୍ତି କମିଟି ଅଭିଯୋଗ କରିଛି। ଗାଁ ଶାନ୍ତି କମିଟିର ସଭାପତି ପ୍ରଫୁଲ୍ଲ ପ୍ରଧାନଙ୍କ ଅଭିଯୋଗ ଅନୁସାରେ, ପ୍ଲଟ ନମ୍ବର ୮୨୬ରେ ସର୍ବସାଧାରଣ ରାସ୍ତା ରହିଛି। ଏହି ରାସ୍ତାକୁ ନିକଟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ସିମେଂଟ୍ କରାଯିବା ସହ ଏହା କଡ଼ରେ ଗ୍ରାମ୍ୟ ଜଳ ଓ ପରିମଳ ମିଶନ ପକ୍ଷରୁ ପାଇପ୍ ଲାଇନ୍ ମଧ୍ୟ ବିଛାଯାଇଛି। କିନ୍ତୁ ଗାଁର ଲଛମନ ପାଇକରାୟ ନାମ ଜଣେ ବ୍ୟକ୍ତି ରାସ୍ତାକୁ ଖୋଳି ଗୃହ ନିର୍ମାଣ କରୁଛନ୍ତି। ଏନେଇ ଜୁନ୍ ୨୩ ତାରିଖରେ ଖୋର୍ଦ୍ଧା ତହସିଲଦାରଙ୍କୁ ଅଭିଯୋଗ କରାଯାଇଥିଲା।

Advertisment

ସେ କିଛି ପଦକ୍ଷେପ ନନେବାରୁ ଜୁଲାଇ ୩ ତାରିଖରେ ଜିଲ୍ଲା ପ୍ରଶାସନର ମିଳିତ ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଲିଖିତ ଅଭିଯୋଗ କରାଯାଇଥିଲା। ଏହାପରେ ରାଜସ୍ବ ନିରୀକ୍ଷକ ଓ ସଦର ଥାନାର ଭାରପ୍ରାପ୍ତ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ଓ ମାପଚୁପ ହେବା ଯାଏଁ ନିର୍ମାଣ ବନ୍ଦ ରଖିବାକୁ କହିଥିଲେ। କିନ୍ତୁ ଏହାକୁ ଖାତିର ନକରି ସଡ଼କ ଖୋଳି ଘର ନିର୍ମାଣ କରାଯାଉଛି। ଫଳରେ ସେହି ରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଛି। ଆଜି ଗାଁଲୋକ ଏହି ନିର୍ମାଣର ପ୍ରତିବାଦ କରିଥିଲେ ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ସାମୟିକ ଉତ୍ତେଜନା ସୃଷ୍ଟି ହୋଇଛି।

ଏନେଇ ସଦର ଥାନାର ଭାରପ୍ରାପ୍ତ ଅଧିକାରୀ ବିଦିତା ନାୟକ କହିଛନ୍ତି ଯେ ତହସିଲଦାରଙ୍କଠାରେ ଅଭିଯୋଗ ହେବା ପରେ ସେମାନେ ଗାଁକୁ ଯାଇଥିଲେ। ଘର ନିର୍ମାଣ କରୁଥିବା ବ୍ୟକ୍ତିଙ୍କ ପଟ୍ଟାରେ ଖୋଳା ହୋଇଥିବା ଜାଗା ସେହି ବ୍ୟକ୍ତିଙ୍କ ବୋଲି ଥିବା ବେଳେ ସ୍କେଚରେ କିନ୍ତୁ ଭିନ୍ନ ରହିଛି। ଗାଁ ଲୋକଙ୍କ ସହ ଆଲୋଚନା କରିବା ବେଳେ ସେମାନେ କହିଛନ୍ତି ଗାଁରେ ଏକ ସର୍ଭେ କରି ଯେଉଁମାନେ ସରକାରୀ ଜାଗା ମାଡ଼ି ବସିଛନ୍ତି ସେ ସବୁ ଭଙ୍ଗାଯାଉ। ଗାଁରେ ବର୍ତ୍ତମାନ ପରିସ୍ଥିତି ଶାନ୍ତ ଅଛି। ନିର୍ମାଣ ବନ୍ଦ ରହିଛି। ପରବର୍ତ୍ତୀ ପଦକ୍ଷେପ ତହସିଲଦାର ନେବେ।