ଟାଙ୍ଗିଆରେ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରି ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ସାରା ରାତି ବସି ରହିଥିଲା ଏହି ଯୁବକ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ହଳଦୀ ଗ୍ରାମ ନିକଟରେ ଏକ ନିର୍ମମ ହତ୍ୟା କାଣ୍ଡ ଘଟିଯାଇଛି। ଅଭିଯୁକ୍ତ ଜଣକ ବୃଦ୍ଧଙ୍କୁ ଟାଙ୍ଗିଆ ଓ ଏକ ଧାରୁଆ ଛୁରୀରେ ହାଣି ହତ୍ୟା କରିବା ସହ ରାତି ତମାମ ଶବ ପାଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଗି ରହିଥିବାର ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ଚନ୍ଦାହାଣ୍ଡି ଥାନା ଅଧୀନସ୍ଥ ଜମାଦରପଡା ଗ୍ରାମ ନିବାସୀ ତଥା ଜମାଦାରପଡ଼ାର ଗଣ୍ଡା ମିନିଚାନ୍ଦ୍‌ ଚୌହ୍ଵାନ(୬୫) ଗତକାଲି ଚନ୍ଦାହାଣ୍ଡି ଗ୍ରାମର ନିଜ ସମ୍ପର୍କୀୟ ବନ କୁମାର୍‌ ଚୌହ୍ଵାନଙ୍କ ଘରକୁ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇଥିଲେ। ତେବେ କୌଣସି ପ୍ରକାରେ ଅଭିଯୁକ୍ତ ହିରଣ୍ୟ ବାଘ ମିନିଚନ୍ଦ୍‌ଙ୍କୁ ହଳଦୀ ଗ୍ରାମସ୍ଥିତ ତାର କୁଡିଆ ପାଖକୁ ଡାକି ନେଇଥିଲା । ଆଉ ସେଠାରେ ଏକ ଟାଙ୍ଗିଆ ଓ ଛୁରୀ ଆଦି ମାରଣାସ୍ତ୍ରରେ ମିନିଚାନ୍ଦଙ୍କୁ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରିଥିଲା।

78-year-old man killed in Rajouri Garden
DNA India

ହତ୍ୟା କରିବା ପରେ ହିରଣ୍ୟ ବାଘ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ବୃଦ୍ଧଙ୍କ ପାଖରେ ରାତି ସାରା ଜଗି ରହିଥିଲା। ମୃତ ମିନିଚାନ୍ଦ୍‌ଙ୍କ ପୁଅ ଉପେନ୍ଦ୍ର ଚୌହ୍ଵାନ ନିଜ ବାପାଙ୍କ ଫେରିବା ବିଳମ୍ବ ହେଉଥିବା ଦେଖି ସମ୍ପର୍କୀୟଙ୍କ ଘରେ ରାତିରେ ରହିଯାଇଥିବା ଭାବି ଖୋଜାଖୋଜି କରି ନଥିଲେ । ତେବେ ସକାଳେ ମିନିଚାନ୍ଦ୍‌ଙ୍କ ହତ୍ୟା ହୋଇଯାଇଥିବା ଖବର ଶୁଣି ମିନିଚାନ୍ଦ୍‌ଙ୍କ ପରିବାର ବର୍ଗ ଘଟଣାସ୍ଥଳରେ ପହଞ୍ଚିଥିଲେ।

ମିନିଚାନ୍ଦ୍‌ଙ୍କ ପରିବାର ଲୋକଙ୍କୁ ଦେଖି ତାଙ୍କୁ ବି ହିରଣ୍ୟ ଆକ୍ରମଣର ଉଦ୍ୟମ କରିଥିଲା । ଏହାପରେ ସ୍ଥାନୀୟ ଥାନା ଅଧିକାରୀ ଅଭୟ ବେହେରାଙ୍କ ନେତୃତ୍ୱରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଥାନାରେ ଅଟକ ରଖିଥିବା ବେଳେ ଉମରକୋଟ ଏସଡିପିଓ ହେମନ୍ତ କୁମାର ପାଢୀ ଘଟଣାର ତଦନ୍ତ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ହିରଣ୍ୟ ବାଘ ମୃତକଙ୍କ ଗ୍ରାମ ଜମାଦାରପଡ଼ାର ତୁଳସୀରାମ ହାତୀଙ୍କ ଝିଅକୁ ଗତ ଆଠ ନଅ ବର୍ଷ ତଳେ ବିବାହ କରିଥିଲା । ତେବେ ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳି ଝଗଡ଼ା ଲଗିରହିବା ସହ ନିଜ ସ୍ତ୍ରୀକୁ ସବୁବେଳେ ମାରପିଟ୍‌ କରୁଥିଲା। ଜମାଦାରପଡ଼ାର ଗଣ୍ଡା ଭାବେ ମିନିଚାନ୍ଦ ଚୌହ୍ଵାନ ମଧ୍ୟ ଅନେକ ଥର ଏହି ଦୁଇ ଜଣଙ୍କ ବିବାଦରେ ହୋଇଥିବା ବୈଠକରେ ଗ୍ରାମର ଅନ୍ୟ ଭଦ୍ର ବ୍ୟକ୍ତିଙ୍କ ସହ ଉପସ୍ଥିତ ରହି ନ୍ୟାୟ ନିଷ୍ପତି କରାଉଥିଲେ । ତଥାପି କୌଣସି ପ୍ରକାର ସମାଧାନ ହୋଇପାରି ନଥିଲା ।

ମୃତ ମିନିଚାନ୍ଦ୍‌ଙ୍କ ପୁଅ ଥାନାରେ ହିରଣ୍ୟ ନାମରେ ମାମଲା ରୁଜୁ କରିଛନ୍ତି। ଚନ୍ଦାହାଣ୍ଡି ଥାନାରେ କେସ ନମ୍ବର ୭୫/୨୦୨୦ ଅନୁଯାୟୀ ଆଇ ପି ସିର ଧାରା ୩୦୨ ଓ ୩୦୭ରେ ମାମଲା ରୁଜୁ କରାଯାଇଛି। ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯିବା ପରେ ଗାଁ ଶ୍ମଶାନରେ ଶବ ସତ୍କାର କରାଯାଇଛି। ଆସନ୍ତା କାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ବୋଲି ଆଇଆଇସି ଅଭୟ ବେହେରା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର