ଅଢେଇ ବର୍ଷର ଶିଶୁକନ୍ୟାକୁ ବିରଲ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଯୁବକ

ମାଲକାନଗିରି: ଜିଲ୍ଲାର ରକ୍ତ ଭଣ୍ଡାରରେ ଏବେ ରକ୍ତର ଘୋର ଅଭାବ ପରିଲକ୍ଷିତ ହୋଇଛି।  ଦିନକୁ ୩୦ରୁ ୪୦ ୟୁନିଟ ରକ୍ତ ଦରକାର ପଡୁଥିବା ବେଳେ ଲୋକେ ରକ୍ତ ପାଇଁ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ତେବେ ସ୍ଥାନୀୟ କିଛି ଯୁବକ ସଂଘ, ସ୍ବେଚ୍ଛାସେବୀ ଏବଂ ବିଜେଡିର ଯୁବ ଦଳ ପକ୍ଷରୁ ଗରିବ ଲୋକଙ୍କୁ ରକ୍ତ ପ୍ରଦାନ କରି ଜୀବନ ବଞ୍ଚାଇବାରେ ସହଯୋଗ କରିଆସୁଛନ୍ତି।
ଏହି ପରିପ୍ରେକ୍ଷୀରେ ଆଜି ଚିତ୍ରକୋଣ୍ଡା ବ୍ଲକର ପଣସପୁଟ ପଂଚାୟତର ସିନ୍ଧିପୁଟ ଗ୍ରାମର ଜନାର୍ଦନ ଖୋଡାଙ୍କ ଅଢେଇ ବର୍ଷର ଝିଅ ଦୀପ୍ତିମୟୀ ଖୋଡା ଅମୋନିଆରେ ପୀଡ଼ିତ ହେଉଥିବାରୁ ପରିବାର ଲୋକେ ତୁରନ୍ତ ମାଲକାନଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ଦୀପ୍ତିମୟୀ ଦେହରେ ରକ୍ତ ନଥିବା ଡାକ୍ତର ଜାଣିବା ପରେ ତୁରନ୍ତ ବି-ନେଗେଟିଭି ରକ୍ତ ସଂଗ୍ରହ କରିବା ପାଇଁ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ।
ତେବେ ପରିବାର ଲୋକେ ଏହି ବିରଳ ରକ୍ତ ପାଇଁ ବିଭିନ୍ନ ସ୍ଥାନ ବୁଲିବା ପରେ ମଧ୍ୟ ରକ୍ତ ପାଇପାରିନଥିଲେ।ପରେ ଜୟ ମାଲକାନଗିରି ଗ୍ରୁପର ରବି ରାଜେଶଙ୍କ ନେତୃତ୍ୱରେ ଏହି ରକ୍ତ ଖୋଜିବା ସହ ମାଥିଲିର ସମରଜିତ ସାହୁଙ୍କ ସହ ଯଗାଯୋଗ କରି ତୁରନ୍ତ ରକ୍ତ ଦେବା ପାଇଁ ପ୍ରବର୍ତ୍ତାଇଥିଲେ। ସମାରଜିତକୁ ରକ୍ତଭଣ୍ଡାରକୁ ନେଇ ରକ୍ତଦାନ କରାଇଥିଲେ। ଯାହାଫଳରେ ଦୀପ୍ତିମୟୀଙ୍କ ଜୀବନ ବଂଚିଯାଇଥିବା କୁହାଯାଇଛି। ଜିଲ୍ଲାରେ ଏଭଳି ସ୍ବେଚ୍ଛାସେବୀ ରହିଥିବାରୁ କାହାରିକୁ ରକ୍ତ ଅଭାବରୁ ମରିବାକୁ ଦିଆଯିବ ନାହିଁ ବୋଲି କୁହାଯାଇଛି। ପରିବାର ଲୋକେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସାଧାରଣରେ ମଧ୍ୟ ପ୍ରଶଂସା କରାଯାଇଛି।
ସମ୍ବନ୍ଧିତ ଖବର