ରକ୍ତଦେଇ ମହିଳାଙ୍କ ଜୀବନ ବଂଚାଇଲେ ଯୁବକ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କରୋନା ମହାମାରୀ ଯୋଗୁଁ ବହୁ ଲୋକ ରକ୍ତ ଅଭାବରୁ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା।ଏହି ସମୟରେ ରକ୍ତ ଦରକାର ପଡୁଥିବା ବ୍ୟକ୍ତିମାନଙ୍କୁ ସୁବିଧାରେ ରକ୍ତ ଯୋଗାଇବା ପାଇଁ ଜୟ ମାଲକାନଗିରି ଗ୍ରୁପର ଯୁବଗୋଷ୍ଠୀ ଆଗେଇ ଆସିଥିଲେ। ଯେତେବେଳେ ବି ଗରିବ ଅସହାୟ ଲୋକଙ୍କୁ ରକ୍ତ ଦରକାର ପଡୁଥିଲା ଯୁବକମାନେ ସାଥି ହୋଇ ରକ୍ତଦାନ କରୁଥିଲେ।ଏବେ ସେହି କ୍ରମରେ ମାଲକାନଗିରି ମେଡିକାଲରେ ଗୋବିନ୍ଦପାଲୀ ଗ୍ରାମର ସୁବର୍ଣ୍ଣ କିରସାନି ନାମକ ମହିଳା ରକ୍ତହୀନତା ଯୋଗୁଁ ଜୀବନ ସହ ସଂଘର୍ଷ କରୁଥିଲେ। ତୁରନ୍ତ ରକ୍ତ ସୁବର୍ଣ୍ଣଙ୍କୁ ଦରକାର ବୋଲି ଡାକ୍ତର କହିଥିଲେ। ତେବେ ପରିବାର ଲୋକେ ରକ୍ତ ପାଇଁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ବି-ପୋଜିଟିଭ ରକ୍ତ ମିଳିନଥିଲା। ତେବେ ଜୟ ମାଲକାନଗିରି ଗ୍ରୁପର ସଦସ୍ୟମାନଙ୍କୁ ଏହି ଖବର ମିଳିବା ପରେ ତୁରନ୍ତ ଏମଭି-୭ ଗ୍ରାମର ହିମାଂଶୁ ନନ୍ଦିଙ୍କୁ ଡକାଯାଇ ରକ୍ତଦାନ କରାଯାଇଥିଲା। ଯାହାଫଳରେ ସୁବର୍ଣ୍ଣଙ୍କ ଜୀବନ ବଂଚିଯାଇଥିବା ବୋଲି କୁହାଯାଇଛି।

ପ୍ରକାଶ ଥାଉକି ହିମାଂଶୁ ୪୫ ଥର ରକ୍ତଦାନ କରିସାରିଲେଣି।ରକ୍ତଦାନ ମହତ କାମ ବୋଲି ହିମାଂଶୁ କହନ୍ତି। ତେବେ ରକ୍ତଦାନ ପାଇଁ ଜୟ ମାଲକାନଗିରି ଗ୍ରୁପର ରବୀ ରାଜେଶ, ଅନୁପ ସୁନାନି, ଅନୁରୁପ ପଟନାୟକ, ଶ୍ରୀନୁ ପ୍ରମୁଖ ପ୍ରବର୍ତ୍ତକ ଭାବେ ରହି ରକ୍ତ ସଂଗ୍ରହରେ ସାହାଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର