କରୋନା ବଦଳାଇ ଦେଲା ବେପାର; ୨୪ ଲକ୍ଷ ଟଂକାର ଗାଡି ଧରି ପରିବା ବେପାର

ମାଲକାନଗିରି: କରୋନା ଯୋଗୁଁ ସାରା ଦେଶରେ ଲକ୍ଡା‌ଉନ ଓ ସଟ୍‌ଡାଉନ ଭଳି ପରିସ୍ଥିତି ସୃଷ୍ଟି ହୋଇଛି।ସମୟ ଚକ୍ର କେତେବେଳେ ମଣିଷକୁ କେଉଁ ଆଡକୁ ଟାଣି ନେବ କେହି ଜାଣନ୍ତି ନାହିଁ। ଏଭଳି ଏକ ସଦ୍ୟତମ ଘଟଣା କ୍ରମରେ କିଭଳି କରୋନା ଜଣେ ଲକ୍ଷାଧିପତି ବେପାରୀକୁ ରାସ୍ତା କଡରେ ପରିବା ଓ ଫଳ ବେପାର କରିବାକୁ ବାଧ୍ୟ କରିଛି, ତାହା ଦେଖିବାକୁ ମିଳିଛି ଛତିଶଗଡର ଧରମପୁର ଠାରେ। ଦିନ ଥିଲା ୨୪ ଲକ୍ଷ ଟଂକାର ଗାଡି ଧରି ନିଜର ବେକେରି ବ୍ୟବସାୟକୁ ଛତିଶଗଡରେ ବ୍ୟାପକ କରିପାରିଥିଲା। ସେ ହେଉଛନ୍ତି ଧରମପୁର ସହରର ନାରାୟଣ ସାହା। ତେବେ କରୋନା ମହାମାରୀ ଛତିଶଗଡରେ ଏତେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ କେହି ଜାଣିନଥିଲେ। ପ୍ରତିଦିନ ଶହ ଶହ ଲୋକ ମୃତ୍ୟୁବରଣ କରୁଛନ୍ତି। ବ୍ୟାକେରି ବ୍ୟବସାୟରେ ନାରାୟଣ ବେଶ ଟଂକା ରୋଜଗାର କରୁଥିଲେ। କିନ୍ତୁ ଲକ୍ଡା‌ଉନ ଯୋଗୁଁ ସବୁ ଚମ୍ପଟ ହୋଇଗଲା। ଦିନଦିନ ଧରି ଘରେ ବସିବା ଫଳରେ ସେ ଘରେ ଥିବା ସବୁ ଟଂକା ସାରିଦେଲେ। ଏବେ ପରିବାର ଚଳାଇବା ପାଇଁ ବାଧ୍ୟ ହୋଇ ରାସ୍ତା କଡରେ ପନିପରିବା ସହ ଫଳ ବେପାର କରୁଛନ୍ତି।

 

ତେବେ ନିଜ ପାଖରେ ଥିବା ୨୪ ଲକ୍ଷ ଟଂକାର କାରକୁ ସାଥିରେ ନେଇ ପନିପରିବା ବେପାର କରୁଥିବା ଦେଖିବାକୁ ମିଳେ। ଲୋକେ ମଧ୍ୟ ନାରାୟଣ ପାଖକୁ ଆସି ତାଂକର ଦୁଃଖଦ କାହାଣୀ ଶୁଣିବା ସହ ତାଂକ ଠାରୁ ପନିପରିବା ସହ ଫଳ ଖରିଦ କରି ନେଉଥିବା ଦେଖିବାକୁ ମିଳିଛି। ଦିନ ଥିଲା ସେ ଏସି ରୁମରେ ପସି ନିଜର କର୍ମଚାରୀଙ୍କୁ ଅଙ୍ଗୁଳି ନିର୍ଦେଶ କରୁଥିଲେ। କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଛି। ନିଜେ କାମ ନକଲେ ଘରେ ଚୁଲି ଜଳିବ ନାହିଁ। ତେବେ ନିଜର ଦାମୀ କାରରେ ପନିପରିବା ବୋହି ଆଣି ଧରମପୁର ସହରର ରାସ୍ତା କଡରେ ନିଜର ବ୍ୟବସାୟ ଚାଲୁ କରିଛନ୍ତି। ତେବେ ତାଂକୁ ଏନେଇ ପଚରାଯିବାରୁ ସେ କୌଣସି ବ୍ୟବସାୟ ଛୋଟ କିମ୍ବା ବଡ ନୁହେଁ ବୋଲି କହିଥିଲେ। ପରିସ୍ଥିତି ତାଂକୁ ଏଭଳି କରିଥିଲେ ମଧ୍ୟ ସେ ପନିପରିବା ବିକ୍ରି କରିବାରେ ଲାଜ କରୁନଥିବା କହିଥିଲେ। କରୋନା ବହୁ ଲୋକଙ୍କୁ କାଙ୍ଗାଳ କରିସାରିଲାଣି। ଧନୀ ଲୋକ ଗରିବ ହେଉଥିବା ବେଳେ ବହୁ ବ୍ୟବସାୟ ମାନ୍ଦା ପଡି ଲୋକେ ଅନ୍ୟ ବେପାର କରିବାକୁ ବାଧ୍ୟ ହେଲେଣି। ନାରାୟଣଙ୍କ ଏଭଳି କାମକୁ ସମସ୍ତେ ପ୍ରଶଂସା କରୁଥିବା ବେଳେ ଅନ୍ୟମାନଙ୍କ ପାଇଁ ନାରାୟଣ ଉଦାହରଣ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର