ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା, ଜେଲ ଗଲେ ଯୁବକ

ବାଲିଅନ୍ତା: ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିବା ଏବଂ ପରେ ତାଙ୍କୁ ପ୍ରତାରଣା କରିବା ମାମଲାରେ ଆଜି ବାଳକାଟି ଫାଣ୍ଡି ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଯୁବକ ହେଲେ ପ୍ରତାପଶାସନ ମାଳଭୋଇ ସାହିର ଦୀପକ ଦଳେଇ(୨୫)। ତେବେ କୋର୍ଟରେ ଦୀପକର ଜାମିନ ଖାରଜ ହୋଇଯିବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପ୍ରତାରିତା ଯୁବତୀଙ୍କ ଅଭିଯୋଗ ଆଧାରରେ ବାଲିଅନ୍ତା ଥାନାରେ ନଂ ୧୮୨/୨୨ରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି।

ସୂଚନା ଅନୁସାରେ ମାଳ ଭୋଇସାହିର ଦୀପକଙ୍କ ସହ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ବିବାହର ପ୍ରଲୋଭନ ଦେଖାଇ ଦୀପକ  ଯୁବତୀଙ୍କ ସହ ବାରମ୍ବାର ଶାରୀରିକ ସଂପର୍କ ରଖିଥି ଆସୁଥିଲେ। ଯୁବତୀ ବିବାହ ପାଇଁ ବାରମ୍ବାର ଦାବି କରିଥିଲେ ମଧ୍ୟ ଦୀପକ ମାସ ପରେ ମାସ ଗଡ଼ାଇ ଚାଲିଥିଲେ। ବିବାହକୁ ନେଇ ଉଭୟ ଦୀପକ ଓ ଯୁବତୀଙ୍କ ମଧ୍ୟରେ ଗତ ଦୁଇଦିନ ତଳେ ଭୀଷଣ ଗଣ୍ଡଗୋଳ ହୋଇଥିଲା। ମାମଲାରେ ଭଦ୍ରଲୋକ ହସ୍ତକ୍ଷେପ କରିଥିଲେ ମଧ୍ୟ ଘଟଣାର ଆପୋସ ସମାଧାନ ହୋଇପାରି ନଥିଲା। ଶେଷରେ ଯୁବତୀ  ନିରାଶ ହୋଇ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଆଜି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ପୁଲିସ ଯୁବତୀଙ୍କୁ ଘର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ଯୁବକଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର