କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନ୍ରୁ ଖସିପଡ଼ି ଅରକ୍ଷିତ ସ୍ବାଇଁ (୫୫ବର୍ଷ) ନାମକ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଜିଆର୍ପି ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୁରଟ-ପୁରୀ ଟ୍ରେନ୍ ଯୋଗେ ଭଞ୍ଜନଗର ଥାନା ଅନ୍ତର୍ଗତ କେବ୍ରି ଗାଁର ଅରକ୍ଷିତ ଓ ତାଙ୍କ ସ୍ତ୍ରୀ ପ୍ରମିଳା ସ୍ୱାଇଁ ସୁରଟରୁ ଗାଁକୁ ଫେରୁଥିଲେ। କଣ୍ଟାବାଞ୍ଜି ଷ୍ଟେସନ ନିକଟ ଘନାମହୁଲ ଗାଁ ପାଖରେ ଟ୍ରେନ୍ ପହଞ୍ଚିବା ପରେ ଭୋର୍ ପ୍ରାୟ ୪ଟା ସମୟରେ ଅରକ୍ଷିତ ପରିସ୍ରା ପାଇଁ ପାଇଖାନାକୁ ଯାଉଥିଲେ। ଏହି ସମୟରେ ହଠାତ୍ ଟ୍ରେନ୍ରୁ ଖସିପଡ଼ିଥିଲେ। ଟ୍ରେନ୍ ବଗିରେ ପଇଁତରା ମାରୁଥିବା ଆର୍ପିଏଫ୍ର ଏସ୍ଟିଏଫ୍ ଟିମ୍ ଏହା ଦେଖି ଚେନ୍ ଟାଣି ଟ୍ରେନ୍କୁ ଅଟକାଇଥିଲେ। ଖବର ପାଇ କଣ୍ଟାବାଞ୍ଜି ଜିଆର୍ପି ଏଏସ୍ଆଇ ଉମେଶ ଅହିର ଏବଂ ଆର୍ପିଏଫ୍ ଏଏସ୍ଆଇ ଏସ୍. କେ. ପଟେଲ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଅଧିକ ତଦନ୍ତ କରୁଛନ୍ତି।
ପ୍ରକାଶ ଯେ, ଏହି ଦମ୍ପତି ପେଟପାଟଣା ପାଇଁ ପ୍ରାୟ ଚାରିମାସ ତଳେ ଚାରି ଝିଅଙ୍କୁ ଘରେ ଛାଡ଼ି ସୁରଟର ସୂତାକଳକୁ କାମ କରିବା ପାଇଁ ଯାଇଥିଲେ। ହେଲେ ସେଠାରେ କରୋନାର ଭୟାବହ ସ୍ଥିତି ଦେଖି ଫେରିବା ବେଳକୁ ଏହିଭଳି ଅଭାବନୀୟ ଘଟଣା ଘଟିଛି। କଣ୍ଟାବାଞ୍ଜି ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/t-3.jpg)