ବ୍ରହ୍ମପୁର: ମୁଣ୍ଡକୁ ପଥରରେ ଛେଚି ଯୁବକଙ୍କୁ ହତ୍ୟା

କୁକୁଡ଼ାଖଣ୍ଡି(ବ୍ରହ୍ମପୁର): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବ୍ରଜନଗରର ଲେନ୍‌ -୩ରେ ରହୁଥିବା ପ୍ରଦୀପ କୁମାର ବେହେରା(୨୪ ବର୍ଷ) ନାମକ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଛନ୍ତି। ଆଜି ସକାଳେ ପ୍ରଦୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଗାଁ ମୁଣ୍ଡରେ ପଡ଼ିଥିବା ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରଦୀପଙ୍କ ନାମରେ ପୂର୍ବରୁ ବହୁ ଅପରାଧିକ ମାମଲା ଥିବାରୁ ତାଙ୍କ ବିରୋଧୀ ଗୋଷ୍ଠୀ ଏହି କାଣ୍ଡ ପୂର୍ବଶତୃତାରୁ ଘଟାଇଥିବା ପୁଲିସ ସନ୍ଦେହ କରୁଛି।


ମିଳିଥିବା ସୂଚନା ଅନୁଯାୟୀ, ବ୍ରଜନଗରର ଲେନ୍‌-୩ର ରହୁଥିବା ପ୍ରଦୀପ ବେହେରା ଗାଈ ରଖି କ୍ଷୀର ବିକ୍ରି କରିଥାନ୍ତି। ତେବେ ଛୋଟଟି ବେଳରୁ ପ୍ରଦୀପ ଅପରାଧିକ ମାମଲାରେ ଜଡ଼ିତ ହୋଇପଡ଼ିଥିଲେ। ପ୍ରଥମେ ବାଳ ଅପରାଧୀଭାବେ ବାଳସୁଧାର ଗୃହରେ ରହିଥିଲେ। ସେଠାରୁ ଆସିବା ପରେ ବିଭିନ୍ନ ଅପରାଧରେ ସମ୍ପୃକ୍ତ ହେବା ସହିତ ପ୍ରାୟ ୩/୪ ଥର ଗିରଫ ହୋଇ ଜେଲ ଯାଇଛନ୍ତି। ତାଙ୍କ ଅପରାଧିକ କାର୍ଯ୍ୟକଳାପ ପାଇଁ ତାଙ୍କ ବିରୋଧୀ ଗୋଷ୍ଠୀ ପ୍ରତିଶୋଧପରାୟଣ ହୋଇ ଉଠିଥିଲେ। ଏପରିକି ଚଳିତ ମାସ ୫ ତାରିଖରେ ତାଙ୍କ ଉପରକୁ ଗୁଳିିମାଡ଼ ହୋଇଥିଲା। ମାତ୍ର ଗୁଳି ରିଭର୍ସ ଫାୟାର କରିବାରୁ ଗୁଳି ଚଳାଇଥିବା ଯୁବକ ଆହତ ହୋଇ ପୁଲିସ ଦ୍ୱାରା ଗିରଫ ହୋଇଥିଲେ। ତେବେ ଗତକାଲି ରାତିରେ ପ୍ରଦୀପଙ୍କୁ ହତ୍ୟା କରିବା ପାଇଁ ତାଙ୍କ ବିରୋଧୀମାନେ ପ୍ରଦୀପଙ୍କ ସହଯୋଗୀଙ୍କ ସହାୟତା ନେଇଥିବା ଚର୍ଚ୍ଚା ହେଉଛି। ଗତକାଲି ରାତିରେ ପ୍ରଦୀକଙ୍କୁ ପ୍ରବଳ ମଦ ପିଆଇ ବନ୍ଧୁୁମାନେ ନିଶାସକ୍ତ କରି ଦେବା ପରେ ତାଙ୍କ ଶତୃମାନେ ପଥରରେ ତାଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର