କରୋନା କାହାଣୀ: ବ୍ୟବସାୟ ବୁଡ଼ିଗଲା, ଚାଷ ଭରସା

ଚାନ୍ଦୋଳ: ଡେରାବିଶ ବ୍ଲକ ପଲେଇ ପଞ୍ଚାୟତ ଜାମୁଦଣ୍ତା ଗ୍ରାମର ଅଜୟ କୁମାର ଜେନା, ଯାହାଙ୍କ ଉପରେ ପରିବାରର ୬ ଜଣଙ୍କ ସମେତ ପ୍ରତ୍ୟକ୍ଷ ଭାବେ ଆଉ ୧୦ଟି ପରିବାର ନିର୍ଭର କରି ଚଳିଆସୁଥିଲେ। ଅଜୟ ଡେକୋରେସନ୍ ସଂସ୍ଥା ଚଳାଉଥିଲେ। ୧୦ ଲକ୍ଷ ଟଙ୍କା ବ୍ୟୟରେ ୨ ବର୍ଷ ତଳୁ ଆରମ୍ଭ କରିଥିଲେ ଏହି ବ୍ୟବସାୟ। ବିବାହ, ବ୍ରତ, ସଭାସମିତି, ପୂଜା ପାର୍ବଣ ଛୋଟବଡ଼ ଘରୋଇ ଉତ୍ସବରେ ଲୋଡ଼ା ହେଉଥିଲେ ସେ। ସାଜସଜ୍ଜା ସହିତ ଲାଇଟ୍, ସାଉଣ୍ତ, ଚେୟାର ଟେବୁଲ୍, ମଂଚ ବିବାହବ୍ରତରେ ପ୍ରୋସେସନ, ସଭାସମିତିରେ ମଂଚ ଆଦି ଯୋଗାଇ ଦେଉଥିଲେ ଅଜୟ। ଏହି କାର୍ଯ୍ୟ ବର୍ଷର ବାରମାସ ଅଳ୍ପ ବହୁତ ଚାଲିଥାଏ। ଆବଶ୍ୟକ ଶ୍ରମ ପାଇଁ ଅଂଚଳର ୧୦ ଜଣ ଯୁବକଙ୍କୁ ନିୟୋଜିତ କରିଥିଲେ। କରୋନା

କିନ୍ତୁ ଅଜୟଙ୍କ ହସରେ ଭଟ୍ଟା ପକାଇଦେଲା। ସରକାର ସଭାସମିତି ପୂଜା ପାର୍ବଣ, ବିବାହ, ବ୍ରତ ଉପରେ କରୋନା କଟକଣା ଲଗାଇବା ପରେ ଅଜୟଙ୍କ ବ୍ୟବସାୟ ବୁଡ଼ିଗଲା। ଖୋଲିବ ଖୋଲିବ ବୋଲି ଦୁଇବର୍ଷ ଗଡ଼ିଗଲା। କିନ୍ତୁ କଟକଣାରେ କୋହଳ ଆସୁନି ଏହି ବ୍ୟବସାୟ ପ୍ରତି। ଏପଟେ ୬ବର୍ଷ ତଳେ ଆରମ୍ଭ ସମୟରେ ବ୍ୟବସାୟରେ ଖଟାଇଥିବା ମୂଳଧନର ସୁଧ ସହ ଅଳ୍ପ ପରିମାଣର ମୂଳଧନ ସୁଝିବା ପରେ କରୋନା ଚଡ଼କ ପଡ଼ିଛି। ଋଣ ପରିଶୋଧ ତ ଦୂରର କଥା ସୁଧ ବି ସୁଝିବାକୁ ସକ୍ଷମ ହେଉନାହାଁନ୍ତି ଅଜୟ। ପରିବାର ପୋଷଣ ପାଇଁ ସଂଚିତ ଅର୍ଥ ସରିଯିବା ପରେ ଉଧାର କରିବାକୁ ପଡ଼ୁଛି। ବହୁଦିନ ଧରି ବ୍ୟବହାର ହେଉନଥିବାରୁ ଡେକୋରେସନରେ ବ୍ୟବହୃତ କାଠ ପଟା, ବାଉଁଶ ନଷ୍ଟ ହେବାକୁ ବସିଲାଣି। ବୈଦ୍ୟୁତିକ ଯନ୍ତ୍ରପାତି ମଧ୍ୟ ଅଚଳ ହେବାକୁ ଆରମ୍ଭ କରିଲାଣି।

ଏବେ କଟକଣାରେ କୋହଳ ଆସିବା ପରେ ବି ଆମ ବ୍ୟବସାୟରେ ସୁଧାର ଆସୁନାହିଁ। ଚଳିତ ବର୍ଷ ପରିବାର ପୋଷଣ ପାଇଁ ଚାଷ କରିବାକୁ ମନସ୍ଥ କରିଛନ୍ତି ବୋଲି କହିଛନ୍ତି ଅଜୟ। ଦୀର୍ଘ ମାସ ଧରି ବାକି ରହିଥିବା ଋଣର ସୁଧ, ଘରଭଡ଼ା ଓ ବ୍ୟବସାୟ ପୁନଃ ଆରମ୍ଭ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ ପାଇଁ ବହୁତ କଷ୍ଟ ହେବ ବୋଲି ସେ ଚିନ୍ତାରେ ଅଛନ୍ତି। ଚାଷ ପ୍ରତି ମନ ବଳେଇଥିବା ଅଭୟ ଏବେ ରାତି ପାହିଲେ ବିଲମୁହାଁ ହୋଇଛନ୍ତି।

ସମ୍ବନ୍ଧିତ ଖବର