ଋଣ ଶୁଝି ନ ପାରିବା କାଳ ହେଲା ! ବେକରେ ଲୁଗାବାନ୍ଧି ଯୁବକଙ୍କ ଆତ୍ମହତ୍ୟା

ବାଲିଅନ୍ତା: ଆଜି ଭୋର ସମୟରେ ବାଲିଅନ୍ତା ଥାନା ଅଧୀନ କାକରୁଦ୍ରପୁର ଗ୍ରାମର ବେଣୁଧର ବେହେରା (୪୨) ନାମକ ଜଣେ ଯୁବକ ବେକରେ ଲୁଗାବାନ୍ଧି ସିଡ଼ିଘର ଶେଣୀରେ ଝୁଲି ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକ ବେଣୁଧର ସିଡ଼ିଘରେ ଝୁଲୁଥିବା ଦେଖି ତାଙ୍କୁ ତଳକୁ ଓହ୍ଲାଇଥିଲେ । ହେଲେ ସେତେବେଳକୁ ବେଣୁଧରଙ୍କ ମୃତ୍ୟୁ ହୋଇଯାଇଥିଲା । ତଥାପି ସେ ବଞ୍ଚିଥିବା ଭାବି ତାଙ୍କ ପଡ଼ୋଶୀମାନେ ତାଙ୍କୁ ଚିକିତ୍ସା ଲାଗି ଅଠାନ୍ତର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ବେଣୁଧରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ସଂକଟାପନ୍ନ ହୋଇପଡ଼ିବାରୁ ୧୦୮ ଆମ୍ବୁଲାନ୍ସ ଡକାଇ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଖବର ପାଇ ବାଲିଅନ୍ତା ଥାନା ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

ବେଣୁଧର ଏକ ଘରୋଇ ସଂସ୍ଥାରେ ଚାକିରି କରିଥିଲେ । କରୋନା ଲକଡାଉନ ଓ ସଟଡାଉନ ପରେ ମାଲିକ କାମରୁ ବାହାର କରି ଦେଇଥିଲେ । ଫଳରେ ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିଲା । ଘରୋଇ ସଂସ୍ଥାଠାରୁ ଋଣ ଆଣିବା ସହ  ହାତଉଧାର ଓ ଧାରକରଜ କରି ପରିବାର ଖର୍ଚ୍ଚ ତୁଲାଉଥିଲେ । ହେଲେ ତାଙ୍କୁ ଧାର ଦେଇଥିବା ଲୋକ ଓ ସଂସ୍ଥା ଟଙ୍କା ପାଇଁ ଜୋର କରିବାରୁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା କୁହାଯାଉଛି ।

ସୂଚନାଯୋଗ୍ୟ ବେଣୁଧରଙ୍କର ଦୁଇଟି ଛୋଟ ପୁଅ ଝିଅ ଅଛନ୍ତି । ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

ସମ୍ବନ୍ଧିତ ଖବର