ଶ୍ୱଶୁର ଘରକୁ ବୁଲିବାକୁ ଆସିଥିଲେ, ହାତୀ ସହ ସେଲଫି ନେଉନେଉ ଚାଲିଗଲେ ଆରପାରିକୁ 

ଅନୁଗୁଳ: ପାଲଲହଡା ଖମାରରେଞ୍ଚ ଅନ୍ତର୍ଗତ ଶଙ୍ଖମୁର ପଞ୍ଚାୟତରେ ରବିବାର ଏକ ହାତୀ ବାଟବଣା ହୋଇ ମାଧପାଳ ଶିବ ମନ୍ଦିର ପଛପଟରେ ରହିଯାଇଥିଲା। ଏହି ଦନ୍ତାହାତୀ ମନ୍ଦିର ପଛପଟରେ ଥିବା ସମ୍ପର୍କରେ ଖବର ପାଇ ଗ୍ରାମବାସୀ ବନବିଭାଗ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ବନବିଭାଗ ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ହାତୀ ସହ ସେଲଫି ନେବାକୁ ଚେଷ୍ଟା କରିଥିଲେ। ଫଳରେ ହାତୀଟି ସେହି ବ୍ୟକ୍ତିଙ୍କ ଉପରେ ଆକସ୍ମିକ ଭାବେ ଆକ୍ରମଣ କରି ପାଦରେ ଦଳି ଦେଇଥିଲା। ଘଟଣାସ୍ଥଳରେ ଉକ୍ତ ବ୍ୟକ୍ତିଙ୍କ ମୃତ ହୋଇଥିଲା। ମୃତକଙ୍କ ନାମ ଜୟକୃଷ୍ଣ ନାଏକ ଓ ତାଙ୍କ ଘର ନିମିଡିବେଡା ଗାଁର ବୋଲି ଜଣାପଡ଼ିଛି।

ତେବେ ଜୟକୃଷ୍ଣ ତାଙ୍କ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିଲେ। ମାଧପାଳ ଶିବ ମନ୍ଦିର ନିକଟରେ ହାତୀ ଥିବା ଖବର ପାଇ ସେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ହାତୀ ସହ ସେଲଫି ନେବାକୁ ଚେଷ୍ଟା କରିଥିଲେ। ଏହି ସେଲଫି ନେବାକୁ କିନ୍ତୁ ବନ ବିଭାଗର ଜଣେ  ଅଧିକାରୀ ବାରଣ କରିଥିଲେ କିନ୍ତୁ ସେ କୌଣସି କଥା ଶୁଣି ନଥିଲେ। ସେଲଫି ନେଉଥିବା ସମୟରେ ହାତୀଟି ଜୟକୃଷ୍ଣଙ୍କ ଆଡକୁ ଆକସ୍ମିକ ଭାବେ ଦୌଡି ଚାଲି ଆସିଥିଲା, ଜୟକୃଷ୍ଣ ଭୟରେ ସେଠାରୁ ଆସି ପାରି ନଥିଲେ। ଫଳରେ ହାତୀ ପାଦରେ ତଳେ ପଡ଼ିଯାଇଥିଲେ। ହାତୀ ଜୟକୃଷ୍ଣଙ୍କୁ ପାଦରେ ଦଳି ଦେଇଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ମୃତ ଜୟକୃଷ୍ଣଙ୍କ ପରିବାର ବନ ବିଭାଗଙ୍କ ଏହି ବୟାନକୁ ଖଣ୍ଡନ କରି କହିଛନ୍ତି କି ଜୟକୃଷ୍ଣ ହାତୀ ସହିତ କୌଣସି ସେଲଫି ନେଇ ନଥିଲେ। ତେବେ ମୃତକ ଜୟକୃଷ୍ଣଙ୍କ ପରିବାର ୧୪୯ ଜାତୀୟ ରାଜପଥକୁ ଅବରୋଧ କରି  ଜୟକୃଷ୍ଣଙ୍କ କ୍ଷତିପୁରଣ ବାବାଦଙ୍କୁ କିଛି ଟଙ୍କା ଓ ପରିବାର ଜଣଙ୍କୁ ଚାକିରି ଦେବା ପାଇଁ ଦାବି କରିଛନ୍ତି।

 

ସମ୍ବନ୍ଧିତ ଖବର